ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନାହିଁ ‘ପରୀ’ ତାତି । କୁନି ଝିଅ ପରୀକୁ ନ୍ୟାୟ ଦାବିରେ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ହଲ୍ଲାବୋଲ । ବିଜେପି ମହିଳା ମୋର୍ଚ୍ଚାର ଟାର୍ଗେଟରେ ମନ୍ତ୍ରୀ ଅରୁଣ ସାହୁ । କିଛି ଦିନ ଧରି ଏହି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବାବେଳେ, ବିଜେପି ମହିଳା ମୋର୍ଚ୍ଚା ଆଜି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିବାକୁ ଉଦ୍ୟମ କରିଥିଲା ।
ଏକ ବିରାଟ ପଟୁଆରରେ ଶତାଧିକ କର୍ମୀ ବାହାରି ମନ୍ତ୍ରୀଙ୍କ ବାସଭବନ ଆଡକୁ ଆସୁଥିବାବେଳେ, ବାଟରେ ପୋଲିସ ମହିଳା ମୋର୍ଚ୍ଚାର କର୍ମୀଙ୍କୁ ଅଟକାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ସେମାନଙ୍କୁ ଅଟକାଇବାକୁ ନାକେଦମ ହୋଇଥିଲା ।
ରାଜ୍ୟ ବେଜେପି ମହିଳା ମୋର୍ଚ୍ଚା ପକ୍ଷରୁ ‘ପରୀ’ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି । ମୁଖ୍ୟ ବିରୋଧୀଦଳ ବିଜେପିର ମହିଳା ମୋର୍ଚ୍ଚାର ସଦସ୍ୟ ପରୀକୁ ନ୍ୟାୟ ଦେବା ପାଇଁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ।
ପରୀ ହତ୍ୟାକାଣ୍ଡରେ ସେହି ଗ୍ରାମର ବାବୁଲି ସମ୍ପୃକ୍ତ ଥିବା ବେଳେ ତାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରଶ୍ରୟ ଦେବା ସହ ପୋଲିସ ପ୍ରଶାସନକୁ ଗିରଫ କରିବାରେ ବାଧା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦାବି କରିଛନ୍ତି ଦଳର ମହିଳା ନେତ୍ରୀବୃନ୍ଦ । ଏହି ପ୍ରଦର୍ଶନକୁ ପୋଲିସ ଅଧାବାଟରୁ ରୋକିବା ସହ ସେମାନଙ୍କୁ ଗିରଫ କରି ନେଇଛି । ଯେଉଁଥିରେ ଦଳର ସଭାନେତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ