ଭୁବନେଶ୍ବର: ସିଏଜି ରିପୋର୍ଟ ଆଧାରରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଥିବା ବେଳେ କେନ୍ଦ୍ରରୁ ଆସୁଥିବା ଟଙ୍କା ଖର୍ଚ୍ଚ ହୋଇ ପାରିନଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି ବୋଲି ସେ କହିଛନ୍ତି।
କେନ୍ଦ୍ର ପାଣ୍ଠି ଖର୍ଚ୍ଚ କରି ପାରୁନଥିବା ସରକାର କାହା ସ୍ୱାର୍ଥରେ ଖୋଲା ବଜାରରୁ ୧୨,୧୩୦କୋଟି ଟଙ୍କା ଋଣ ଆଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଲେଖାଶ୍ରୀ କହିଛନ୍ତି ଯେ, ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ଦେଖାଇ ସରକାର ଅର୍ଥ ଆତ୍ମସାତ କରିଛନ୍ତି । ୧୦୦କିମି ରାସ୍ତା ପାଇଁ ୨୧୯ କୋଟି ମଞ୍ଜୁର ଥିଲା, କିନ୍ତୁ କେବଳ ୪୮ କିମି ରାସ୍ତା ତିଆରି କରି ବାକି ଟଙ୍କା ସରକାର ଖାଇଦେଇଛନ୍ତି।
ଅନ୍ୟପକ୍ଷରେ ଲେଖାଶ୍ରୀଙ୍କ ଅଭିଯୋଗ ପରେ ବିଜେଡି ଏହାର ପ୍ରତିକ୍ରିୟା ଦେଇଛି। ଯେତିକି ଅର୍ଥ ଦେବା କଥା କେନ୍ଦ୍ର ସରକାର ଦେଉନାହାଁନ୍ତି ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ