ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା । ମାଷ୍ଟରକ୍ୟାଣ୍ଟିନ ଛକରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି(ମଙ୍ଗଳବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଇଛି ।
ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁ ଏହି ମାମଲାର ଦୋଷୀ । ବିଦ୍ୟାଳୟ ସଂଚାଳକ ଗୋବିନ୍ଦ ସାହୁ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଓଡିଶା ସରକାରର ବହୁ ମନ୍ତ୍ରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ । ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଗୋବିନ୍ଦ ସାହୁଙ୍କ ବିଦ୍ୟାଳୟ ଏବଂ କଲେଜ କୁ ବିଭିନ୍ନ ସମୟରେ ଅତିଥି ହୋଇ ଯାଇଛନ୍ତି । ଏହି ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁ ଯୋଡ଼ି ହେଉଛି ।
ଦୀର୍ଘ ୧୦ ଦିନ ହୋଇଯାଇଥିଲେ ସୁଦ୍ଧା ଏହି ମାମଲାରେ ପୋଲିସ୍ ବିଭାଗର କୌଣସି ତଦନ୍ତ ସନ୍ତୋଷଜନକ ନୁହଁ । ପୋଲିସ ହେପାଜତରୁ ଗୋବିନ୍ଦ ସାହୁ ଫେରାର ହୋଇଥିବା କଥା ସାମ୍ନାକୁ ଆସୁଛି, ଗୋବିନ୍ଦ ସାହୁ ନିଜେ ଫେରାର ହେଇଛି ନାଁ ତାକୁ ଜାଣିଶୁଣି ପ୍ରମାଣ ନଷ୍ଟ କରିବା ପାଇଁ ଫେରାର କରାଇ ଦିଆଯାଇଛି । ଏହା ବି ପ୍ରଶ୍ନବାଚୀ ? ଯେହେତୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ନାଁ ଏହି ଘଟଣାରେ ଆସୁଛି । ତେଣୁ ସେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି ବିଜେପି ଦାବି କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ