ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ବାଇ ଲ' ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଦୁଇ ଦିନ ତଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ ଏବଂ ସରକାର ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ । ସେ ମଧ୍ୟ ସାଂସଦ ଅପରାଜିତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।
ଏଏମଏସଏଆର ଆକ୍ଟ 1958 ଧାରା ଅନୁସାରେ ବାଇ- ଲ ପର୍ଯ୍ୟବେଶିତ । ସେହି ଅନୁସାରେ ରାଜ୍ୟ ପ୍ରାଧିକୃତ ଅଧିକାରୀ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବୋଲି ଅପରାଜିତା କହିବା ସହ ଏ ସମ୍ପର୍କରେ ରାଜ୍ୟ ସରକାର କିପରି ଜାଣି ନପାରିଲେ ଏବଂ ଶାସନ ଏତେ ଅପରିପକ୍ବ ଓ ଅଜ୍ଞାନ କେମିତି ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ । ଏହି ଘଟଣାରେ ମାନସ ଅପରାଜିତାଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ମୁଁ ଆପଣଙ୍କ ପରି କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଯେକୌଣସି ବ୍ୟକ୍ତି 5 ମିନିଟରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ମୁତାବକ ଏଏମଏଏସଆର ଆକ୍ଟ 1958ର ସେକ୍ସନ-20 ଇ ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇର ଆଞ୍ଚଳକି ନିର୍ଦ୍ଦେଶକ ହେଉଛନ୍ତି ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ । ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି । ଏହାସହ କୋଲକାତା ଠାରେ ଥିବା ଏଏମଏସଏଆରର ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିରଗୁଡିକ ଲାଗି ଐତିହ ବାଇ- ଲ ପ୍ରସ୍ତାବ ପଠାଇଛନ୍ତି ।
ଆହୁରିମଧ୍ୟ ମାନସ କହିଛନ୍ତି, ଯେହେତୁ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହଁନ୍ତି, ତେଣୁ ଧାର୍ମିକ ଭାବନା ସହ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ତାଙ୍କ ପକ୍ଷେ ବୁଝିବା କଷ୍ଟକର । ସେହିପରି ଓଡିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲ ଭାବେ ଏହି ସ୍ପର୍ଶକତାର ପ୍ରସଙ୍ଗକୁ ବୁଝି ପାରିଛନ୍ତି ବୋଲି ସେ କହିଛନ୍ତି ।
ଏହାସହ ଅପରାଜିତା ଷଡଙ୍ଗୀ ଆମସର ଆଇନକୁ ଠିକ୍ ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ କଟାକ୍ଷ କରିବା ସହ ଆମସର ଆଇନକୁ ଭଲ ଭାବେ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅପରାଜିତାଙ୍କୁ ସ୍ପଷ୍ଟ କରିଛନ୍ତି । ପରିଶେଷରେ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ ସିଧାସଳଖ ଅପରାଜିତାଙ୍କୁ ଟାର୍ଗେଟ କରି ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ