ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନାରୀଙ୍କ ପ୍ରତି ଯୌନ ନିର୍ଯାତନା ମାମଲା । ଏହାକୁ ପ୍ରତିବାଦ କରି ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । ଏନେଇ ଆଜି ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ସଭାନେତ୍ରୀ ପ୍ରଭାତି ପରିଡା । ଯାଜପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲା, କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କରେ ଯୌନ ଉତ୍ପୀଡନ ମାମଲାରେ ଆସନ୍ତା ୫ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ କରିବ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା।
କେବଳ ଏତିକି ନୁହେଁ ଏହା ସହ ତିନିଦଫା ଦାବିରେ ଏହି ବିକ୍ଷୋଭ କରିବ ଭାରତୀୟ ଜନତା ପାର୍ଟୀ । ବିଶେଷ କରି ଯାଜପୁର ସ୍ମିତାରାଣୀ ମୃତ୍ୟୁକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ଘଟଣାରେ ପୁଣିଥରେ ଏସପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏହା ସହ ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି ମହିଳା ମୋର୍ଚ୍ଚା ।
ଅନ୍ୟପଟେ କେନ୍ଦ୍ରାପଡା ଠାରେ ବିକ୍ଷୋଭ କରାଯିବା ସହ କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କର କର୍ମଚାରୀଙ୍କ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାଙ୍କୁ ବି ଭେଟିବ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ