ଭୁବନେଶ୍ବର: ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ନାହିଁ । ତୁରନ୍ତ ପିପିଲିରେ କେନ୍ଦ୍ରୀୟ ବଳ ମୁତୟନ କରାଯାଉ ବୋଲି ବିଜେପି ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହେବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ରାଜନୈତିକ ଷ୍ଟଣ୍ଟ ବା ଡ୍ରାମା କରୁଛି ବୋଲି ବିଜେଡି କହିଛି ।
ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ, 'ଆଜି କାଲି ଭିତରେ ପିପିଲି ନିର୍ବାଚନ ହେଉନି । ଏହି ନିର୍ବାଚନ ପ୍ରକ୍ରିୟା 5 ମାସ ହେଲା ଚାଲିଛି । 5 ମାସ ଭିତରେ ବିଜେପିକୁ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଗଲା ନାହିଁ । ହଠାତ ନିର୍ବାଚନର 48 ଘଣ୍ଟା ପୁର୍ବରୁ ଜଣାପଡ଼ିଲା ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହା ବିଜେପିର ଏକ ରାଜନୈତିକ ଚାଲ । ନିର୍ବାଚନକୁ ଭଣ୍ଡୁର କରିବା ଲାଗି ବିଜେପିର ଏହା ଚାଲ ।'
ପ୍ରତାପ ଅଭିଯୋଗ କରିଛନ୍ତି ଯେ, ଗତକାଲି(ମଙ୍ଗଳବାର) ରାତିରେ ବିଜେପି କର୍ମକର୍ତ୍ତା ନିଜ କାର୍ଯ୍ୟାଳୟରେ ବମ୍ ପକାଇଛନ୍ତି । ଯଦି ବିଜେପିକୁ ଆଇନ ଶୃଙ୍ଖଳା ଚିନ୍ତା ଥାଆନ୍ତା ତେବେ ଯାଇ ଥାନାରେ ଅଭିଯୋଗ କରିଥାନ୍ତେ । ହେଲେ ଏଯାଏଁ ବିଜେପି କର୍ମକର୍ତ୍ତା ଅଭିଯୋଗ କରିନାହାନ୍ତି । ଏହା ସହ ଆଜି(ବୁଧବାର) ସକାଳେ ମାଧପୁର ଛକରେ ଖାଲି ସ୍ଥାନରେ ଏକ ବମିଙ୍ଗ ହୋଇଛି । ଗତକାଲି ବିଜେପି ନେତା ନିର୍ବାଚନ କମିଶନଙ୍କ ନିକଟରେ କରିଥିବା ଅଭିଯୋଗକୁ ସତ ପ୍ରମାଣିତ କରିବା ଲାଗି ଏପରି କରାଯାଉଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି ।
ସେହିପରି ପ୍ରତାପ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ କୌଣସି ସମସ୍ୟା ହୋଇନି । କୌଣସି ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିନାହିଁ । ପୋଲିସ ତା କାମ କରୁଛି । ଯିଏ ଏପରି ବିଶୃଙ୍ଖଳା କରୁଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ହେବ ବୋଲି ଆଶା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ