ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳରେ ଗୃହରେ ଗ୍ରାମ୍ୟ ଉନ୍ନୟନ ବିଭାଗଠୁ ନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ଶୂନ୍ୟକାଳରେ ବିଜେଡି ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି ।
ଶୂନ୍ୟକାଳରେ ବିବୃତ୍ତି ରଖି ସୌମ୍ୟରଞ୍ଜନ ପ୍ରଶ୍ନ କରିଛନ୍ତି, 'ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ' ? ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସୌମ୍ୟଙ୍କ ପ୍ରଶ୍ନରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ । ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି ବୋଲି କହିଛନ୍ତି ବିଜେଡି ବିଧାୟକ ।
ସରକାରୀ ଅଧିକାରୀମାନେ କାହିଁକି ମିଛ କହୁଛନ୍ତି ବୋଲି ସୌମ୍ୟ ସିଧାସଳଖ ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟରେ ଜଳ ସଂରକ୍ଷଣ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ସୌମ୍ୟରଞ୍ଜନ । 'ମହାନଦୀକୁ ନେଇ ଆମେ ଛତିଶଗଡ଼ ନାଁ ରେ ଅଭିଯୋଗ କରୁଛୁ, କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀ ଗୁଡିକର ଜଳକୁ ସଂରକ୍ଷଣ କରଯାଉ ନାହିଁ । କୁଆଖିଆ ନଦୀର ପାଣିକୁ ରୋକା ଯାଉନାହିଁ । ପାଣି ସମୁଦ୍ରକୁ ପଳାଉଛି । ତେଣୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ସରକାର କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ' । ଭୁବନେଶ୍ବର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । 'ଜଳ ସଂରକ୍ଷଣ ହେଲେ ରାଜଧାନୀର ତାପମାତ୍ରା କମିବ । ଏ ଦିଗରେ ତ୍ବରିତ ପଦକ୍ଷେପ ନେବାପାଇଁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି' ।
ବିଧାନସଭାରେ ସରକାରୀ ଅଧିକାରୀଙ୍କ ମିଥ୍ୟା ତଥ୍ୟକୁ ନେଇ ସରକାରଙ୍କୁ ଘେରିଛନ୍ତି ଖୋଦ୍ ଶାସକଦଳର ବରିଷ୍ଠ ବିଧାୟକ । ସରକାରଙ୍କ ମିଛକୁ ଧରା ପକାଇଛନ୍ତି ସୌମ୍ୟରଞ୍ଜନ । ସେହିପରି ବିଧାନସଭାରେ ବିଭିନ୍ନ ପ୍ରସଙ୍ଗର ଆଲୋଚନା ବେଳେ ସରକାରଙ୍କ ଦୋଷ ଦୁର୍ବଳତାକୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି ସୌମ୍ୟରଞ୍ଜନ । କେବଳ ସେତିକି ନୁହେଁ ମିଛୁଆ ବିଧାୟକ ହୋଇ କାହିଁକି ରହିବୁ ବୋଲି ଓଲଟି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ଶାସକଦଳର ଜଣେ ବରିଷ୍ଠ ବିଧାୟକଙ୍କ ଏଭଳି ଆକ୍ରମଣାତ୍ମକ ମନ୍ତବ୍ୟ ସରକାରୀ ଦଳକୁ ଅଡୁଆରେ ପକାଇଛି ।
ଇଟିଭି ଭାରତ, ଭୁବନେଶ୍ବର