ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ଶାସକ ଦଳ ବିଜେଡି । 26 ଡିସେମ୍ବର 1997ରେ ଗଠନ ହୋଇଥିବା ଦଳ ଆଜି ରାଜ୍ୟରେ ଲଗାତାର ଭାବରେ ଶାସନ ଗାଦିରେ ରାଜ୍ କରୁଛି । ଆଜି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଛନ୍ତି । ଭିଡିଓ କନଫରେନ୍ସିଂରେ ନବୀନ ପୁଣି ମହିଳାଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଇଛନ୍ତି ।
ପ୍ରତିଥର ପରି ଏଥର ନବୀନ ଦଳୀୟ କାର୍ମୀଙ୍କୁ ଆଗକୁ କାମ ଜାରି ରଖିବାକୁ ବାର୍ତ୍ତା ଦେଇଛନ୍ତି । ମିଶନ ଶକ୍ତି ଅଧିନରେ ମହିଳାଙ୍କୁ ସଶକ୍ତ କରିଛି ବିଜେଡି । ମହିଳାଙ୍କ ବିକାଶ ବିନା ଦେଶ ଆଗେଇ ପାରିବନି । ବିଧାନସଭାରେ 33 ପ୍ରତିଶତ ସିଟ୍ ଆରକ୍ଷଣ ପାଇଁ ବିଜେଡି ଚେଷ୍ଟା କରିଆସୁଥିବା ନବୀନ କହିଛନ୍ତି । ମହିଳା ହିଁ ଦେଶର ଭବିଷ୍ୟତ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ କେବଳ ଦଳୀୟ କାର୍ଯ୍ୟାଳୟ ନୁହେଁ ବରଂ ଜିଲ୍ଲା ସ୍ତରରେ ମଧ୍ୟ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରୁଛି । ଦଳୀୟ କାର୍ଯ୍ୟାଳୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ଦଳୀୟ ବିଧାୟକ କର୍ମୀ ଓ ଛାମୁଆ ସଂଗଠନ କର୍ମକର୍ତ୍ତାମାନେ ଯୋଗଦେଇ ଦଳର ୨୪ ବର୍ଷର ଅଭିଭାଷଣ ରଖିଥିଲେ । ତେବେ ଦଳର ରାଜ୍ୟ କାର୍ଯ୍ୟ କାରିଣୀ ଓ ପରିଷଦ ବୈଠକ, ଯୁବ ଓ ଛାତ୍ରର କାର୍ଯ୍ୟକାରିଣୀ ବୈଠକରେ ନବୀନ ଦେଇଥିବା ଆହ୍ଵାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ