ଭୁବନେଶ୍ବର: ତୈଳଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ(ହେର୍ଡ଼କ୍ବାଟର) ସଞ୍ଜୟ ଦାସବର୍ମା । କେନ୍ଦ୍ର ସରକାର ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରୁ ବୋଲି ଦାବି କରିଛନ୍ତି ସଞ୍ଜୟ ।
ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ହୁ ହୁ ହୋଇ ବଢିଚାଲିଛି । କୋଭିଡ୍ ମହାମାରୀ ପରେ ଗରିବ, ମଧ୍ୟମ ଶ୍ରେଣୀ ଲୋକ ଦରବୃଦ୍ଧି ଯୋଗୁ ବେଶି ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ, ଡିଜେଲ୍ ଓ ପେଟ୍ରୋଲିୟମ୍ ଉତ୍ପାଦ ଉପରେ ନୂତନ ସେସ୍ ଲାଗୁ ଯୋଗୁଁ ଦରଦାମ୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଗତ ୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଭିତ୍ତିଭୂମୀ ଉନ୍ନୟନ ପାଇଁ ନୂତନ ସେସ୍ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ । ସେ ଦେଶବାସୀଙ୍କୁ ଆଶ୍ବସ୍ତ କରିଥିଲେ କି , ଡିଜେଲ ଏବଂ ପେଟ୍ରୋଲ ଉପରେ ନୂତନ ସେସ୍ ଲାଗୁ କରାଯାଉଥିଲେ ହେଁ ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ବୋଝ ପଡ଼ିବନି । ତୈଳଦର ମଧ୍ୟ ବୃଦ୍ଧି ଘଟିବନି । କିନ୍ତୁ ଦୁର୍ଭାଗ୍ୟର କଥା, କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ୭ ଥର ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି ଘଟିଲାଣି । ଏହି ସର୍ବକାଳୀନ ବୃଦ୍ଧି ଯୋଗୁ ପେଟ୍ରୋଲ ଓଡ଼ିଶାରେ ୯୩ ଟଙ୍କାରେ ପହଞ୍ଚି ଥିବାବେଳେ ଡିଜେଲ ୯୦ ଟଙ୍କା ଛୁଇଁଛି ।
ଗତ ୪୪ ଦିନରେ ଡିଜେଲ, ପେଟ୍ରୋଲର ଦର ୧୭ ଥର ବୃଦ୍ଧି ହେଲାଣି । ମାଲ ପରିବହନ ସହିତ ପ୍ରତ୍ୟେକ କ୍ଷେତ୍ରକୁ ଏହି ଦରବୃଦ୍ଧି ପ୍ରଭାବିତ କରିଛି । ଏହି ବର୍ଦ୍ଧିତ ସେସରୁ ରାଜ୍ୟ ମାନଙ୍କୁ କିଛି ରାଜସ୍ବ ମିଳେନାହିଁ । ଜରୁରୀ କିମ୍ବା ଅସାଧାରଣ ପରିସ୍ଥିତିରେ ସେସ୍ ବୃଦ୍ଧିର ଆବଶ୍ୟକତା ପଡ଼ିଥାଏ । କିନ୍ତୁ କେନ୍ଦ୍ର ସରକାର 'ଆମ୍ ଜନତାର ବଜେଟ୍' ଓ 'ଦରଦାମ୍ ନିୟନ୍ତ୍ରଣ କରିବୁ ' କହି ଜନସାଧାରଣଙ୍କ ବିଶ୍ବାସ ହାସଲ କରିଥିବାବେଳେ ଏପରି ଦରବୃଦ୍ଧି ଦ୍ଵାରା ମେହନତି ମଣିଷ, ଚାଷୀକୁଳଙ୍କୁ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ସଞ୍ଜୟ ଦାସବର୍ମା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।ଦେଶରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା ; ଯେଉଁଥି ପାଇଁ କେନ୍ଦ୍ରମନ୍ତ୍ରୀ ଏହି ବର୍ଦ୍ଧିତ ସେସକୁ ଗରିବ ଜନସାଧାରଣଙ୍କ ଉପରେ ଲଦିଦେଲେ ତାହା ଜଣାଇବାକୁ ଦାସବର୍ମା ଦାବି କରିଛନ୍ତି । ୨୦୧୫ ମସିହାରେ ବିଶ୍ବ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ଘଟିଥିଲେ ମଧ୍ୟ ଡିଜେଲ ଓ ପେଟ୍ରୋଲ ମୂଲ୍ୟ ୬୫ ଟଙ୍କା ଭିତରେ ଥିଲା । ହେଲେ ୨୦୨୧ ରେ ବିଶ୍ବ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୬୧ ଡଲାର ଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ବୃଦ୍ଧି ଘଟି ଯଥାକ୍ରମେ ୯୩ ଓ ୯୦ ଟଙ୍କାରେ ପହଞ୍ଚିଛି ।
କେନ୍ଦ୍ରର ଏଭଳି ଜନବିରୋଧୀ ନିଷ୍ପତିକୁ ବିରୋଧ କରିବା ସହିତ ଏହି ବଦ୍ଧିତ ସେସ୍ ପ୍ରତ୍ୟାହାର କରିବା ପାଇଁ ସଞ୍ଜୟ ଦାବି କରିଛନ୍ତି । ସେହିପରି ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇ ୭୪୫ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସ୍ ଦର ବଢ଼ାଇ କେନ୍ଦ୍ର ସରକାର ମା ’ ମାନଙ୍କ ହାଣ୍ଡିଶାଳ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଦାସବର୍ମା କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ