ଭୁବନେଶ୍ୱର: ‘ଓଡ଼ିଶାଲାଇଭ୍’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି । ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି ତୈଳଚିତ୍ରଗୁଡ଼ିକର ସ୍ଥାୟୀ ସଂରକ୍ଷଣ ଏବଂ ସାର୍ବଜନୀନ ପ୍ରଦର୍ଶନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସଂସ୍ଥା କହିଛି ।

ଆଜି (ବୁଧବାର) ‘ଓଡ଼ିଶା ଲାଇଭ୍’ ମିଡ଼ିଆ ନେଟଓ୍ଵର୍କ ପକ୍ଷରୁ ଏହାର ଅନ୍ୟତମ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମହାନ୍ତି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଜୁବାବୁଙ୍କର ୫ଟି ତୈଳଚିତ୍ର ପ୍ରଦାନ କରିଛନ୍ତି । ତାଙ୍କ ସହ ‘ଓଡ଼ିଶା ଲାଇଭ୍’ ର ଆସୋସିଏଟ୍ ଚିଫ୍ ରିପୋର୍ଟର ସତ୍ୟବ୍ରତ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।

‘ଓଡ଼ିଶା ଲାଇଭ’ ପ୍ରସ୍ତୁତ କରିଥିବା ପ୍ରତିଟି ତୈଳଚିତ୍ର ବିଜୁବାବୁଙ୍କ ବ୍ୟକ୍ତିତ୍ଵକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଛି । ଆଗାମୀ ଦିନରେ ଏହାକୁ ବିଧାନସଭା ପରିସରରେ ପ୍ରଦର୍ଶନ କରାଯିବାକୁ ଥିବାବେଳେ ଏହା ବିଧାନସଭାର ନୂତନ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି । ଏହି କଳାତ୍ମକ କାର୍ଯ୍ୟ ପାଇଁ ଓଡ଼ିଶା ଲାଇଭକୁ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

୨୦୧୬ ମସିହାରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଜନନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍ ପକ୍ଷରୁ ଏକ ବିଶେଷ ମିଡିଆ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ସେତେବେଳେ ‘ବିଜୁ ପଟ୍ଟନାୟକ ଡଟ୍ ଓଆରଜି’ ନାଁରେ ଏକ ଓ୍ଵେବସାଇଟ୍ ସହିତ ତାଙ୍କ ଦୀର୍ଘ କର୍ମମୟ ଜୀବନକୁ ଆଧାରକରି ଏକ ଦ୍ୱିଭାଷୀ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁବାବୁଙ୍କ ଜୀବନର ବିଭିନ୍ନ ଦିଗକୁ ନେଇ କେତୋଟି ତୈଳଚିତ୍ର ପ୍ରସ୍ତୁତ କରାଯାଇଥିଲା । ‘ଓଡ଼ିଶା ଲାଇଭ୍’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ତୈଳଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀର ଉନ୍ମୋଚନ କରାଯାଇଥିଲା । ଓଡ଼ିଶାରେ ଶିଳ୍ପାୟନକୁ ନେଇ ବିଜୁବାବୁଙ୍କ ସ୍ୱପ୍ନ, ଜାତୀୟ ରାଜନୀତିରେ ତାଙ୍କର ଭୂମିକା, ପିଲାଙ୍କ ଦୃଷ୍ଟିରେ ବିଜୁବାବୁ - ଏଭଳି ବିଭିନ୍ନ ଥିମ୍କୁ ନେଇ ‘ଓଡ଼ିଶା ଲାଇଭ୍’ ପକ୍ଷରୁ ତୈଳଚିତ୍ରଗୁଡ଼ିକୁ ଆଙ୍କିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା ।
ବିଜୁବାବୁଙ୍କ ଏହି ତୈଳଚିତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ବିଧାନସଭାରେ ପ୍ରଦର୍ଶନ ପାଇଁ ବାଚସ୍ପତି ଗ୍ରହଣ କରିଥିବାରୁ ‘ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳମ୍ବର ରଥ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ଜୀବନ ଓ କର୍ମକୁ ନେଇ ‘ଓଡ଼ିଶା ଲାଇଭ୍’ ପକ୍ଷରୁ ବିଭିନ୍ନ ସମୟରେ ମିଡିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କ୍ରମରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବେଳେ ଏକ ବିଶେଷ କାର୍ଯ୍ୟକ୍ରମ ଅଧୀନରେ ଏହି ତୈଳଚିତ୍ରଗୁଡ଼ିକ ପ୍ରସ୍ତୁତ କରିଥିବାରୁ ଶିଳ୍ପୀ ବଳଦେବ ମହାରଥାଙ୍କୁ ଏହି ଅବସରରେ ସଂସ୍ଥାର ମୁଖ୍ୟ ନିଳାମ୍ବର ରଥ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ