ଭୁବନେଶ୍ବର: ଆହୁରି ଦୁଇଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା । ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ପପୁର୍ଣ୍ଣ ବାୟୁ ପ୍ରବେଶ କରୁଥିବା ବେଳେ ରାଜ୍ୟରେ ଲାଗି ରହିଛି ବର୍ଷା । ମଙ୍ଗଳବାର ଅପରାହ୍ଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଆଗକୁ ଏଭଳି ବର୍ଷା ଜାରି ରହିବ । ଏଥିପାଇଁ ମୋଟ ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ, ଦକ୍ଷିଣ ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି । କନ୍ଧମାଳର କଳିଙ୍ଗରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ 150 ମିମି ବର୍ଷା ରେକର୍ଡ କରାଯାଇଛି । ଜି.ଉଦୟଗିରିରେ ୭୨ ମିମି ବର୍ଷା ରେକର୍ଡ କରାଯାଇଛି ।
ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁ଼ଡ଼ିକରେ କୁଆପଥର ସହ ବର୍ଷାର ମାତ୍ରା ବଢ଼ିବା ଆଶଙ୍କା ରହିଛି । ଏହାର ପ୍ରଭାବ ଜାନୁଆରୀ ୧୪ ତାରିଖ ଯାଏଁ ରହିବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବର୍ଷା ପ୍ରଭାବରେ ବିଶେଷ ଭାବେ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଛି । ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଅନ୍ଯପଟେ ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ତାପମାତ୍ରା ବୃଦ୍ଧି ହୋଇଛି । ଫଳରେ ଶୀତର ପ୍ରକୋପ ହ୍ରାସ ପାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ