ଭୁବନେଶ୍ବର: ରାଜଧାନୀର ଭରତପୁର ତାରିଣୀ ବସ୍ତିରେ ସୁରେଖା ପଲେଇ ମୃତ୍ୟୁ ମାମଲାରେ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ଏହା ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ସିନ୍ ରିକ୍ରିନେସନରୁ ସ୍ପଷ୍ଟ ହୋଇଛି । ବୟଫ୍ରେଣ୍ଡ ବିଶ୍ୱଜିତ ବାହା ହେବାକୁ ରାଜିନହେବାରୁ ସୁରେଖା ଆତ୍ମହତ୍ୟା କରିଛନ୍ତି ବୋଲି କହିଛି ପୋଲିସ ।
AIIMSର ଡ଼ାକ୍ତରୀ ଟିମ ପୋଷ୍ଟମଟମ ରିପୋର୍ଟ ପରେ ସୁରେଖା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ବୟଫ୍ରେଣ୍ଡ ବିଶ୍ୱଜିତଙ୍କ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ସୁରେଖା । ମାମଲାରେ ଫେରାର ଥିବା ମୃତ ଯୁବତୀଙ୍କ ବୟଫ୍ରେଣ୍ଡ ବିଶ୍ୱଜିତ ଜେନା ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିଛି ଭରତପୁର ଥାନା ପୁଲିସ । ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ ସୂଚନା ଦେଇଛି । ତେବେ ଏମାନଙ୍କ ଉପରେ ପ୍ରମାଣ ନଷ୍ଟ କରିବା ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ସଂଗୀନ ଅଭିଯୋଗ ଲାଗିଛି ।
ସୂଚନା ଅନୁସାରେ ବିଶ୍ୱଜିତ ଜେନାଙ୍କୁ ପ୍ରେମ କରୁଥିଲେ ସୁରେଖା । ବାହା ହେବାକୁ ମଧ୍ୟ ବାରମ୍ବାର ବାଧ୍ୟ କହୁଥିଲେ । ହେଲେ ବିଶ୍ବଜିତଙ୍କ ବୟସ ୧୯ ଓ ସୁରେଖାଙ୍କ ବୟସ ୨୩ ହୋଇଥିବାରୁ ସେ ବାହା ହେବା ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଗତ ୯ ତାରିଖ ରାତିରେ ଭୋଜି କରିଥିଲେ ୩ ଅଭିଯୁକ୍ତଙ୍କ ସମେତ ସୁରେଖା । ସମସ୍ତେ ଖାଇସାରି ଶୋଇବା ପରେ ୩ ଜଣଙ୍କୁ ବାହାରପଟୁ କବାଟ ଦେଇ ସୁରେଖା ବିଶ୍ୱଜିତଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଆତ୍ମହତ୍ୟା ପୂର୍ବରୁ ସୁରେଖା ବିଶ୍ୱଜିତଙ୍କ ସହ ହାତକାଟି ହ୍ବାଟ୍ସଆପରେ ଚାଟ କରିଥିଲେ । ହେଲେ ସେ ଜାଣିପାରିନଥିଲେ। ସକାଳ ହେବାପରେ ସୁରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ୩ ଅଭିଯୁକ୍ତ ଘରର ସ୍କାଏଲାଇଟ୍ ଭାଙ୍ଗି ବାହାରକୁ ଆସି ମୃତଦେହକୁ ବିଶ୍ୱଜିତଙ୍କ ଘରୁ ବାହାର କରି ସୁରେଖାଙ୍କ ଘର ଆଗରେ ପକାଇଥିଲେ । ଏହାପରେ ପ୍ରମାଣ ନଷ୍ଟ କରି ୩ ଜଣ ନୟାଗଡ଼ ପଳାଇ ଯାଇଥିଲେ ବୋଲି କହିଛି ପୁଲିସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ