ଭୁବନେଶ୍ବର: ପୋଲିସ କମିଶନରଙ୍କ ଜିରୋ ଟଲେରାନ୍ସ ପଲିସି । ଛାନିଆ ହେଲେଣି ପୋଲିସ କର୍ମଚାରୀ । ଠକ, ଲାଞ୍ଚୁଆ ଓ ଦୁର୍ନୀତିରେ ଲିପ୍ତ ଥିବା ପୋଲିସ କର୍ମଚାରୀଙ୍କ ଉପରେ ପଡିବ କି ସିପିଙ୍କ ଛାଟ ? କିଏ ନେଉଛି ଲାଞ୍ଚ ?କାହାର ନାଁରେ ରହିଛି ଜନଅସନ୍ତୋଷର ଅଭିଯୋଗ ? କିଏ କରୁଛି ପୋଲିସ ବର୍ଦ୍ଦିରେ ଦାଦାଗିରି ? ଏସବୁର ଏବେ ଚିଠା ଖୋଜୁଛନ୍ତି ଭୁବନେଶ୍ଵର ଡିସିପି । ଏନେଇ ଏଜି ଟ୍ରାଫିକ ଥାନାରେ ଗତକାଲି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପିପିଟି ପ୍ରେଜେଣ୍ଟେସନ ଜରିଆରେ ଚାଲିଥିବା ରିଭ୍ୟୁ ମିଟିଙ୍ଗ ।
ହୋମଗାର୍ଡଠୁ ଆରମ୍ଭ କରି ଏସିପି ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟରେ ହୋଇଛି ଆଲୋଚନା । ପ୍ରତ୍ୟେକ ଥାନାର ଥାନା ଅଧିକାରୀ ଏନେଇ ସେମାନଙ୍କ ଥାନାର ଗୋଟି ଗୋଟି ରିପୋର୍ଟ ଦେଇଛନ୍ତି ଡିସିପିଙ୍କୁ । ଥାନାରେ କେଉଁ କର୍ମଚାରୀ କେତେଦିନ ରହିଛନ୍ତି, କେତୋଟି କେସ କ୍ଲୋଜ କରିଛନ୍ତି, ଥାନାର କର୍ମଚାରୀ ନାଁରେ କେତୋଟି ଜନ ଅସନ୍ତୋଷ ଅଭିଯୋଗ ରହିଛି । କାହା ବିରୋଧରେ ପୋଲିସ ଅଭିଯୋଗ ଶୁଣିନଥିବା ଅଭିଯୋଗ ରହିଛି ଏବଂ କେଉଁ କର୍ମଚାରୀ ଲାଞ୍ଚ ନେଉଛନ୍ତି ।
ଏଥିସହ ପୋଲିସ ନାଁରେ କିଏ ହୋଟେଲରୁ ମିଲ ନେଉଛନ୍ତି , କାହାର ମାସିକିଆ ଖାତା ରହିଛି । ପିସିଆର କର୍ମଚାରି ଡେଲି ରୁଟିନରେ କଣ କରୁଛନ୍ତି, ଗ୍ରାଉଣ୍ଡ ଜିରୋରେ କାହାକୁ କେଉଁ ଦାୟିତ୍ବ ଦିଆଯାଇଛି, କିଏ କାହା ନାଁରେ ଆଇଆଇସିଙ୍କ ନିକଟରେ ଅଭିଯୋଗ କରିଛି । କାହାର ସ୍ଥାନୀୟ ନେତା ଓ କ୍ରିମିନାଲଙ୍କ ସହ ସମ୍ପର୍କ ରହିଛି ଏବଂ ଥାନାରେ ମାସକୁ କେତେ ଖର୍ଚ୍ଚ ହେଉଛି । ଏସବୁର ଟିକନିକ ତଥ୍ୟ ବଡ ବଡ ଫାଇଲ ଓ ଏକ୍ସଏଲ ସିଟରେ ପ୍ରେଜେଣ୍ଟେସନ ସହ ଲ୍ୟାପଟପରେ ମଧ୍ୟ କିଛି ଅଫିସର ଆଣି ଡିସିପିଙ୍କୁ ଜଣାଇଛନ୍ତି ।
ପୋଲିସ ଡିପାର୍ଟମେଣ୍ଟକୁ ବଦନାମ କରୁଥିବା ଅଫିସରଙ୍କ ଲିଷ୍ଟ ଏବେ ଖୋଜା ପଡିଛି। ଖୁବଶୀଘ୍ର ସେମାନଙ୍କ ଲିଷ୍ଟ ପ୍ରସ୍ତୁତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ସେପଟେ ଏନେଇ ଡିସିପିଙ୍କୁ ବୈଠକ ସମ୍ପର୍କରେ ପଚାରିବାରୁ ଏହା ଏକ ରିଭ୍ୟୁ ମିଟିଂ ବୋଲି କହି ଗଣମାଧମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।
ତେବେ ଅନୁମାନ କରାଯାଉଛି ଯେ, ପୋଲିସ କମିଶନରଙ୍କ ଜିରୋ ଟଲେରାନ୍ସ ପଲିସି ନେଇ ଏଭଳି ବୈଠକ ହୋଇଛି । ଯେଉଁ ଅଫିସରଙ୍କ ପାଇଁ ଡିପାର୍ଟମେଣ୍ଟ ବଦନାମ ହେଉଛି ତା ବିରୋଧରେ କାର୍ଯାନୁଷ୍ଠାନ ହେବାକୁ ଯାଉଛି । ଅର୍ଥାତ କଟକ ନଚେତ ଜିଲ୍ଲାପାର ବଦଳି ହେବାର ମଧ୍ଯ ସମ୍ଭାବନା ରହିଛି । ଏଥିପାଇଁ ଏହି ମିଟିଂ ନେଇ ଥାନା ସ୍ତରରେ ଅନେକ ଅଫିସର ଓ କନଷ୍ଟେବଳ ସହ ହୋମଗାର୍ଡଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ତେବେ ପୋଲିସ କର୍ମଚାରୀଙ୍କ ରେକର୍ଡ ଯଦି ଖରାପ ହୋଇଥାଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ପୋଲିସ କମିଶନର ?
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ