ଭୁବନେଶ୍ବର: ରାଜଧାନୀ କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ସାଇବର ଠକେଇର ଚିଠା। ମାର୍ଚ୍ଚ ମାସର ଚିଠା ଜାରି କଲା କମିଶନରେଟ ପୋଲିସ। କେବଳ ଠକେଇ ନୁହେଁ, ସାଇବର ହେଲ୍ପ ଡେସ୍କକୁ କେତେ କଲ ଆସିଛି, କେତେ ଠକେଇ ହୋଇଛି ଓ କେତେ ଟଙ୍କା ସାଇବର ଠକଙ୍କଠୁ ଫେରସ୍ତ ଆଣିବାରେ ସଫଳ ହୋଇଛି ପୋଲିସ ତାହାର ମଧ୍ୟ ଚିଠା ଜାରି କରିଛି ପୋଲିସ।
ଗତ ମାର୍ଚ୍ଚ ମାସରେ କମିଶନରେଟ ପୋଲିସର ସାଇବର ହେଲପ ଡେସ୍କକୁ ମୋଟ 629ଟି କଲ ଆସିଥିଲା। ସେଥିମଧ୍ୟରେ କେବଳ ଭୁବନେଶ୍ବରରୁ 310ଟି କଲ ରିସିଭ କରାଯାଇଥିଲା। ମୁଖ୍ୟତଃ ତିନି ପ୍ରକାର ଠକେଇର ଶିକାର ହୋଇଛନ୍ତି ଲୋକେ। ପ୍ରଥମଟି ହେଉଛି ୟୁପିଆଇ ଠକେଇ ଶିକାର। ମାର୍ଚ୍ଚରେ 170ଟି ୟୁପିଆଇ ଠକେଇ ହୋଇଛି। ଏହାପରେ କ୍ରେଡିଟ କିମ୍ବା ଡେବିଟ କାର୍ଡରେ 80ଟି ଠକେଇ ହୋଇଛି। ଅନ୍ୟାନ ଉପାୟରେ ପ୍ରାୟ 379ଟି ସାଇବର ଠକେଇ ହୋଇଥିବା ପୋଲିସ ସୂଚନା ଦେଇଛି।
ମାର୍ଚ୍ଚ ମାସରେ କେବଳ ରାଜଧାନୀରେ 84 ଲକ୍ଷ 78 ହଜାର 394 ଟଙ୍କାର ସାଇବର ଠକେଇ ହୋଇଥିଲା। ତେବେ ସେଥି ମଧ୍ୟରୁ 2 ଲକ୍ଷ 53 ହଜାର 647 ଟଙ୍କା ଫେରାଇ ଆଣିବାରେ କିମ୍ବା ବ୍ଲକ କରିବାରେ ପୋଲିସ ସକ୍ଷମ ହୋଇଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ