ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦର ହେବ ଦେଶର ପ୍ରଥମ ସ୍ବଦେଶୀ ATC ଅଟୋମେସନ ଦ୍ୱାରା ପରିଚାଳିତ ବିମାନବନ୍ଦର । ଏଥିଲାଗି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BHEL) ସହ ଚୁକ୍ତିବଦ୍ଧ ହୋଇଛି ବିମାନବନ୍ଦର ।
ଭୁବନେଶ୍ୱର ବିମାନବନ୍ଦର ହେବ ଦେଶର ପ୍ରଥମ ସ୍ବଦେଶୀ ATC ଅଟୋମେସନ ଦ୍ୱାରା ପରିଚାଳିତ ବିମାନବନ୍ଦର । ଏଥିଲାଗି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BHEL) ସହ ଚୁକ୍ତିବଦ୍ଧ ହୋଇଛି ବିମାନବନ୍ଦର । ଏବେ ATC ଟାୱାର ତିଆରି ସରିଛି । ଚଳିତ ମାସରୁ BHEL ATC ଅଟୋମେସନ ଇକ୍ୱିପମେଣ୍ଟ ଇନଷ୍ଟଲେସନ ଆରମ୍ଭ କରିବ । 2022 ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ସ୍ବଦେଶୀ ATC ଅଟୋମେସନ ସିଷ୍ଟମ ପ୍ରସ୍ତୁତ ହୋଇଯିବ । ଏଠାରେ ATC ଅଟୋମେସନ ବ୍ୟବସ୍ଥା ସଫଳ ହେଲେ ଏହାକୁ ଦେଶର ଅନ୍ୟ ବିମାନବନ୍ଦରରେ ମଧ୍ୟ କାର୍ଯ୍ୟକାରୀ କରାଯିବ ।
ସେପଟେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ହେବ ଗ୍ରୀନ ଓ କାର୍ବନ ନ୍ୟୁଟ୍ରାଲ ବିମାନବନ୍ଦର । ବିମାନବନ୍ଦର ଭିତରେ ଇନଷ୍ଟଲ ହୋଇଛି 3.8 ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ । ଏହା ବିଜୁଳି ଉତ୍ପାଦନ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ଆବେଦନ କରିଛି ବିମାନବନ୍ଦର । ଏହି ସୋଲାର ପ୍ଲାଣ୍ଟରୁ ଉତ୍ପାଦନ ହେବାକୁ ଥିବା ବିଜୁଳିରୁ ବିମାନବନ୍ଦର ନିଜର 2 ମେଗାୱାଟ ଚାହିଦା ପୂରଣ କରିବା ପରେ ବଳକା 1.8 ମେଗାୱାଟ ବିଜୁଳିକୁ ଗ୍ରୀଡକୁ ବିକ୍ରି କରିବ। ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ସବୁ ଲାଇଟ ଏଲଇଡି ଲାଇଟରେ ପରିବର୍ତ୍ତନ ହୋଇଥିବା ବେଳେ ଦିନ ସମୟରେ ସୌରଶକ୍ତିରୁ ନିଜର ବିଜୁଳି ଚାହିଦା ପୂରଣ କରିପାରିଛି ।
ଫଳରେ ଦେଶର 4 ଗ୍ରୀନ ଏୟାରପୋର୍ଟ ମଧ୍ୟରେ ସ୍ଥାନ ପାଇପାରିଛି ଭୁବନେଶ୍ୱର ବିମାନବନ୍ଦର । ସେଗୁଡିକ ହେଲା ବାରଣାସୀ, କୋଲକାତା, ତ୍ରିଭେନ୍ଦ୍ରମ ଏବଂ ଭୁବନେଶ୍ୱର ଏୟାରପୋର୍ଟ। କୋଭିଡ ପରେ ଏଯାଏଁ ଭୁବନେଶ୍ୱର ବିମାନବନ୍ଦରରୁ ଆନ୍ତର୍ଜାତିକ ଉଡାଣ ଆରମ୍ଭ ହୋଇନି । କିନ୍ତୁ ଘରୋଇ ଯାତାୟାତ ରେ 80 ପ୍ରତିଶତ ସୁଧାର ଆସିଲାଣି । ପ୍ରତିଦିନ ଏବେ ଭୁବନେଶ୍ୱର ବିମାନବନ୍ଦରରେ ଦୈନିକ 7 ହଜାରରୁ 10 ହଜାର ଯାତ୍ରୀ ଯାତାୟାତ କରୁଛନ୍ତି । ସେହିଭଳି ଦୈନିକ 65ରୁ 85 ବିମାନ ଚଳାଚଳ କରୁଛି ବୋଲି ଖାଇଛନ୍ତି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
ଇଟିଭି ଭାରତ, ଭୁବନେଶ୍ବର