ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀସ୍ଥିତ ବାସଭବନ ଭେଟିଲେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଭଦ୍ରକ ଜିଲ୍ଲା ପାଇଁ ଦୁଇଟି ଦାବି ରଖିଛନ୍ତି ହେମନ୍ତ କୁମାର ପାଢ଼ୀ । କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତକାର ବେଳେ ଅନ୍ୟ କର୍ମଚାରୀମାନେ ମଧ୍ୟ ଭଦ୍ରକ ଜିଲ୍ଲା ବିଜେପି ସଭାପତିଙ୍କ ସହ ଉପସ୍ଥିତ ରହିଥିଲେ ।
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଉ, ଭଦ୍ରକରୁ ଧାମରା ରେଳ ଚଳାଚଳ ଆରମ୍ଭ କରାଯିବାକୁ ଦାବି କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ସଭାପତି । ୧୯୪୮ ମସିହାରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଏହି କଲେଜକୁ ବିଗତ ବର୍ଷରେ ଅନେକ ଥର ନାକ୍(NAAC) ଟିମ ପରିଦର୍ଶନ କରି ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ହକ୍ଦାର ବୋଲି ମତ ଦେଇଛି । ମୋଟ ୨୭ ଏକର ଜମିରେ ସ୍ଥାପିତ ହୋଇଛି ଏହି ମହାବିଦ୍ଯାଳୟ ।
ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଏହି ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲେ ଭଦ୍ରକବାସିନ୍ଦା ନିଶ୍ଚିତ ଭାବରେ ଉପକୃତ ହେବେ । ଏଥିପାଇଁ ଏଦିଗରେ ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ ।
ସେପଟେ ଉପସ୍ଥାପିତ ଦାବି ପ୍ରତି ଗୁରୁତ୍ବ ଦେବା ସହ ଖୁବଶୀଘ୍ର ଏହାର ତ୍ବରିତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ