ଭୁବନେଶ୍ବର: ବସ୍ତି ପିଲାଙ୍କୁ ନେଇ ବଲିଉଡ ଫିଲ୍ମ ଝୁଣ୍ଡ । ଅମିତା ବଚ୍ଚନଙ୍କ ଏହି ଫିଲ୍ମ ଦେଖି ଜାଣିପାରିବେ ସ୍ଲମ ରିଫର୍ମକୁ କିପରି ତିଆରି ହୋଇଛି ଏହି ଫିଲ୍ମ । ହେଲେ ଏବେ ଭୁବନେଶ୍ବରର ବିଭିନ୍ନ ବସ୍ତିର ପିଲାଙ୍କୁ ନେଇ ଗଠିତ ଏହି କ୍ରିକେଟ ଟିମକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । କାରଣ ଝୁଣ୍ଡ ଫିଲ୍ମ ପରି ଭୁବନେଶ୍ବର ବସ୍ତି ପିଲା ଅପରାଧ ଛାଡି ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ବସ୍ତିରେ ଗଣ୍ଡଗୋଳ କି ହିଂସା ବା ନିଶା କାରବାର ସାମିଲ ନହୋଇ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଯାହାର ଝଲକ ଦେଖିବାକୁ ମିଳିଛି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ । ୩୨ଟି ବସ୍ତିର ପିଲା ଏବେ ସେମାନଙ୍କ ସ୍ବପ୍ନ ପଛରେ ଧାଇଛନ୍ତି । ଆଉ ବସ୍ତିରେ କ୍ରିକେଟ ଟିମ ସମାଜକୁ ଦେଖାଇଛନ୍ତି ବସ୍ତି ପିଲା ବି କିଛି କମ ନୁହନ୍ତି ।
ଭୁବନେଶ୍ବର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯାଇଥିବା ବସ୍ତିକୁ ଚାଲ ଚାମ୍ପିଆନସିପର ଅନ୍ତ ହୋଇଛି । ୩୨ଟି ବସ୍ତିକୁ ନେଇ କ୍ରିକେଟ ଟିମ ମଧ୍ୟରେ ଚାମ୍ପିଆନସିପ ହୋଇଥିଲା । ଯେଉଁଥିରେ ଚାମ୍ପିଆନ ହୋଇଛି ଲିଙ୍ଗରାଜ ଥାନା ଅଞ୍ଚଳର ରାମେଶ୍ବର ବସ୍ତି ଟିମ । ଖଣ୍ଡଗିରି ଥାନା ଅଧିନରେ ଥିବା ତପୋବନ ବସ୍ତିକୁ ମାତ ଦେଇ ଚମ୍ପିଆନସିପର ଟୋପି ପିନ୍ଧିଛି ରାମେଶ୍ବର ବସ୍ତି ଟିମ । ଏହି ଟିମ ତିଆରି କରିବାଠୁ ଆରମ୍ଭ କରି ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇବା ପଛରେ କମିସନରେଟ ପୋଲିସର ପ୍ରୟାସ କରିଛି । କାରଣ ବସ୍ତି ପିଲାଙ୍କ ମୁଖ୍ୟସ୍ରୋତକୁ ଫେରାଇବାକୁ ଆରମ୍ଭ ହୋଇଥିଲା ବସ୍ତିଚାଲ ଅଭିଯାନ । ସ୍ଥାନୀୟ ଥାନା ଜରିଆରେ ବସ୍ତିକୁ ଚିହ୍ନଟ କରି ପିଲାଙ୍କ ପ୍ରତିଭା ଚୟନ କରିବା ଆରମ୍ଭ କରିଥିଲା ପୋଲିସ ।
ଧିରେ ଧିରେ ଦୀର୍ଘ ୬ମାସ ଧରି ପୋଲିସ ନିଜ ପ୍ରୟାସରେ ସଫଳ ହୋଇଛି । ବସ୍ତିର ଅପରାଧ ନିୟନ୍ତ୍ରଣ ସହିତ ଯୁବପିଢି ଓ ବସ୍ତିର ନୂଆ ପିଢ଼ିଙ୍କୁ ପ୍ରୋତ୍ସାହିତ କରିଥିଲା ପୋଲିସ । ସେମାନଙ୍କ ପରିବାର ସହ ଜଡିତ ହୋଇ ପିଲାକୁ ଖରାପ ବାଟରେ ଯିବାକୁ ବାରଣ କରିବା ସହ ପିଲାଙ୍କ ମନ ମୁତାବକ ସେମାନଙ୍କ ପସନ୍ଦରେ ପୋଲିସ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲା । ପିଲାଙ୍କୁ ଖେଳ କିଟ ଦେବା ସହ ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଜାଗୃତ କରି ଏଭଳି ଟିମ ଜରିଆରେ ଏକ ବନ୍ଧନ ଭିତରେ ରଖିଥିଲା ।
ଭୁବନେଶ୍ବର ଡିସିପି ଆରମ୍ଭ କରିଥିବା ବସ୍ତିଚାଲ ଅଭିଯାନ ଶେଷରେ ଆଣିଛି ଏମିତି ସଫଳତା । ଫିଲ୍ମ ଝୁଣ୍ଡରେ ଯେପରି ଅମିତାବଚନ ନିଜ ପ୍ରୋତ୍ସାହନରେ ଏକ ବସ୍ତିର ବିଗିଡିଥିବା ପିଲାଙ୍କୁ ନେଇ ପରେ ଗଠନ କରିଥିଲେ ଏକ ଫୁଟବଲ ଟିମ ଯାହାକି ଫିଲ୍ମରେ କାହାଣୀ ବେଶ ଲୋକଙ୍କୁ ଛୁଇଁଥିଲା । ସେହିପରି ପୋଲିସ ଜରିଆରେ ଭୁବନେଶ୍ବର ବସ୍ତିର ଏହି ପିଲାଙ୍କ ସଫଳତା ଅର୍ଥାତ ରିୟଲ ଝୁଣ୍ଡ ଏବେ ସେମାନଙ୍କ ପରିବର୍ତ୍ତନ ଏବେ ବେସ ପ୍ରଶଂସା ସାଉଁଣ୍ଟିଛି । ଯେପରି ୪୦୦ରୁ ଉର୍ଦ୍ଧ୍ବ ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛି କମିସନରେଟ ପୋଲିସ । ପୋଲିସର ଏହି ପଦକ୍ଷେପ ପିଲାଙ୍କ ଭବିଷ୍ୟତକୁ ଗଢି ତୋଳିବାରେ ନିର୍ଣ୍ଣାୟକ ଭୂମିକା ନେବ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ