ଭୁବନେଶ୍ବର: ଭାରତ ବନ୍ଦର ସିଧାସଳଖ ପ୍ରଭାବ ପଡିଛି ଲୋକସେବା ଭବନ ଉପରେ। ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଫେଡେରେସନ ଓ ସ୍ଵାଧୀନ ମିଳିତ ମଞ୍ଚ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଥିବା ବେଳେ ବିଭିନ୍ନ ସ୍କୁଲ କଲେଜ ,ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି।
ସେପଟେ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥାକୁ ବଢେଇ ଦିଆଯାଇଛି । ଏକ ନମ୍ବର ଓ ୫ ନମ୍ବର ଗେଟକୁ ବାଦ ଦେଲେ ବାକି ସମସ୍ତ ଗେଟ ବନ୍ଦ ରହିଛି । ଲୋକସେବା ଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏପରିକି ମନ୍ତ୍ରୀ ମଧ୍ୟ ଦୁଇ ଚକିଆ ଯାନରେ ଆସିଥିବା ଦେଖିବାକୁ ମିଳିଛି।
ପୂର୍ବାହ୍ନ ୯.୧୫ରେ ପ୍ରଥମେ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବାଇକ ଯୋଗେ ଲୋକସେବା ଭବନର ୫ ନମ୍ବର ଗେଟରେ ପ୍ରବେଶ କରିଥିଲେ । ଏହା ପରେ ପରେ ସୂଚନା, ଲୋକସମ୍ପର୍କ ଓ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ବାଇକ ଯୋଗେ ଆସିଥିବାର ଦେଖିବାକୁ ମିଳିଛି ।
ଭାରତ ବନ୍ଦ ସମ୍ପର୍କରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଯେଉଁ ବନ୍ଦ ଡାକରାକୁ ନେଇ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ୟୁନିୟନ ଏକ ଦାବିପତ୍ର ପ୍ରଦାନ କରାଥିଲେ । ଗତ ସୋମବାର ମିଳିତ ମଞ୍ଚର ଏକ ପ୍ରତିନିଧି ଦଳ ଲୋକସେବା ଭବନରେ ତିନିଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ସହ ଆଲୋଚନା କରି ସେମାନଙ୍କ ଦାବି ଜଣାଇଛନ୍ତି । ସେମାନଙ୍କ ଯୁକ୍ତିଯୁକ୍ତ ଦାବି ଉପରେ ସରକାର ବିଚାର କରୁଛନ୍ତି । ସେହିଭଳି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ ବନ୍ଦର ଆଂଶିକ ପ୍ରଭାବ ପଡିଛି। ବିଜେଡି ବନ୍ଦକୁ ସମର୍ଥନ କରୁନାହିଁ । ଏଭଳି ବନ୍ଦ କରି ଜୀବନ ଯାତ୍ରା ଅଚଳ କରିବା ସମୀଚୀନ ନୁହେଁ ବୋଲି ସେ କହିଛନ୍ତି।
ବନ୍ଦ ପାଳନ ବେଳେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା । ଅନ୍ୟପଟରେ ବନ୍ଦକୁ ସମର୍ଥନ କରି କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ମାଷ୍ଟର କ୍ୟାଣ୍ଟିନ ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରିବା ସହ ନାରାବାଜି କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ