ଭୁବନେଶ୍ବର: ଯାଜପୁର ଜିଲ୍ଲା ବୈତରଣୀ ନଦୀର ବାମପାର୍ଶ୍ବ ଏବଂ ଦକ୍ଷିଣ ପାର୍ଶ୍ଵ ନଦୀ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ କରାଯାଇଛି । ନଦୀ ବନ୍ଧର ସୁରକ୍ଷା ଲାଗି ୪ - ୫ଟି ସ୍ଥାନରେ ସୁଇସ୍ ଗେଟ୍ ନିର୍ମାଣ ଶୀଘ୍ର ସଂପୂର୍ଣ୍ଣ କରିବାକୁ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଏକ ବୈଠକ ଭର୍ଚୁଆଲରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇଥିଲେ । ଉପରୋକ୍ତ ନଦୀ ବନ୍ଧରେ କେତେକ ସ୍ଥାନରେ ସ୍ଲୁଇସ ଗେଟ୍ ନିର୍ମାଣ ହୋଇନଥିବା ଅନେକ ସମସ୍ୟା ସୃଷ୍ଟି ହେଉଥିବା ସୂଚନା ଦେଇଛନ୍ତି । ନିଜ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଯେଉଁ ସମସ୍ୟା ଉପୁଜୁଛି, ସେ ସଂପର୍କରେ ଉଭୟ ସୂଚନା ଦେଇଛନ୍ତି । ଏଣୁ ଯୋଗୁଁ କୃଷି ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନସାଧାରଣ ଅସୁବିଧାରେ ପଡ଼ୁଥିବା ବିଧାୟକ ଦ୍ବୟ ଜଳସଂପଦ ମନ୍ତ୍ରୀ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନଦୀର ଦୁଇ ପାର୍ଶ୍ବରେ କେତେକ ସ୍ଥାନରେ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇନଥିବା ଫଳରେ ସମସ୍ୟା ସୃଷ୍ଟି ହେଉଛି । ଆଉ କେତେକ ସ୍ଥାନରେ ଜମି ଅଧଗ୍ରହଣ ସଂପର୍କିତ ପ୍ରାପ୍ୟ ପ୍ରଦାନରେ ବିଳମ୍ବିତ ହୋଇଥିବା ସଂପର୍କରେ ଆଲୋଚନା କରାଯାଇଛି । ୪ - ୫ ବର୍ଷ ହେଲା ବୈତରଣୀ ନଦୀବନ୍ଧର ସୁଦୃଢୀକରଣ ନେଇ ଭଲ କାର୍ଯ୍ୟ ହେଉଥିଲେ ମଧ୍ୟ ସୁଇସ୍ ଗେଟ୍ ନିର୍ମାଣରେ ବିଳମ୍ବ ଯୋଗୁଁ ସମସ୍ୟା ଉପୁଜୁଛି । ଏଥିପାଇଁ ଟେଣ୍ଡର କାର୍ଯ୍ୟ ସରିଥିଲେ ମଧ୍ୟ ନିର୍ମାଣ ବିଳମ୍ବିତ ହେଉଛି । ସମସ୍ତ ଘଟଣାର ଅନୁଧ୍ୟାନ କରି ସମସ୍ୟାଗୁଡିକର ଶୀଘ୍ର ସମାଧାନ ନିମନ୍ତେ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଷୟିକ କମିଟି ସହ କ୍ଷେତ୍ର ପରିଦର୍ଶନରେ କରି ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ଆଗାମୀ ମୌସୁମୀ ବର୍ଷାରେ ଡ୍ରେନେଜ୍ ସମସ୍ୟା ଉପୁଜିଲେ ଡ୍ରେନେଜ ବିଭାଗ ତତ୍ପରତାର ସହିତ ଅଂଚଳବାସୀଙ୍କର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ, ବୈତରଣୀ ବେସିନ୍ ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ-ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ପୂର୍ବାଞ୍ଚଳ ସର୍କଲ - ୨), ବୈତରଣୀ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ଯାଜପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ