ଭୁବନେଶ୍ବର: ଦୁଇ ଦିନିଆ ରିମାଣ୍ଡରେ ଠକ ଓଗାଳିଲା ସତ । କିଭଳି ପୋଲିସ୍ ସେବା ପରୀକ୍ଷା (combined police service exam)ରେ ପାସ୍ କରାଇଦେବ କହି ବୈକୁଣ୍ଠ ଠକି ନେଇଥିଲା ୧ କୋଟି ୪୭ ଲକ୍ଷ ଟଙ୍କା । ଏନେଇ ରିମାଣ୍ଡରେ ଆଣିଥିବା ଠକ ବୈକୁଣ୍ଠ ଠାରୁ ସତ ବାହାର କରିଛି EOW(Economic Offence Wing) । କଳାହାଣ୍ଡିରୁ ସରକାରୀ ଅଧିକାରୀ ହେବା ସ୍ବପ୍ନ ନେଇ ଆସିଥିବା ୨୫ ବର୍ଷୀୟ ଯୁବକ ବୈକୁଣ୍ଠ ନାୟକ କିଭଳି ହୋଇଯାଇଥିଲା କୋଟିପତି ଠକ ତାହା EOW ଆଗରେ କହିଛି ।
ନିଜେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଦେବାକୁ ପଢାପଢି ପାଇଁ ଭୁବନେଶ୍ଵର ଆସିଥିଲା ବୈକୁଣ୍ଠ । ଆଉ କିଛି ପଇସା ଥିବା ପିଲା ତାର ବନ୍ଧୁ ପାଲଟି ଯାଇଥିଲେ । ଏହି ସମୟରେ ଟଙ୍କା ଦେଇ ଚାକିରି କରିବା ପାଇଁ ବହୁ ଆଶାୟୀ ପ୍ରସ୍ତୁତ ଥିବା କଥା ଜାଣିବାକୁ ପାଇଥିଲା ବୈକୁଣ୍ଠ । ଜଣଙ୍କ ପିଛା ସରକାରୀ ଚାକିରି ପାଇଁ ୬ରୁ ୭ଲକ୍ଷ ଲାଞ୍ଚ ଦେବା ପାଇ ପ୍ରସ୍ତୁତ ଥିଲେ ଆଶାୟୀ । ଏହାର ଫାଇଦା ଉଠାଇବାକୁ ଚିନ୍ତା କଲା ବୈକୁଣ୍ଠ । ଥରେ ASO ପରୀକ୍ଷା ଦେଇଥିବା ଠକ ବୈକୁଣ୍ଠ ପରୀକ୍ଷାରେ ପାସ୍ ନହୋଇ ମଧ୍ୟ ସେକ୍ରେଟରିଆଟ୍ରେ ଚାକିରି କରୁଛି କହୁଥିଲା । ଏଥିପାଇଁ ଏକ ନକଲି ଆଇଡି କାର୍ଡ ତିଆରି କରି ବୁଲୁଥିଲା ।
ପୋଲିସ୍ ସେବା ପରୀକ୍ଷା (combined police service exam) ୨୦୧୩ର ଆଶାୟୀ ପିଲାଙ୍କୁ ଚାକିରି କରାଇଦେବା ନାଁରେ ୨୦୧୬ରେ ୩୮ଜଣ ପିଲା ବୈକୁଣ୍ଠର ଠକାମୀର ଶିକାର ପାଲିଟିିଥିଲେ । ବିଭିନ୍ନ ଅଫିସର ଚିହ୍ନା ଅଛନ୍ତି କରି ପ୍ରତ୍ୟେକ ନିରିହ ଆଶାୟୀଙ୍କ ପିଛା ୫ରୁ ୭ଲକ୍ଷ ପର୍ଯ୍ୟନ୍ତ ନେଇଥିଲା ବୈକୁଣ୍ଠ । ବରିଷ୍ଠ ଅଧିକାରୀ କହି ଭିମସେନ ମହାରଣା ନାମକ ଠକକୁ ଦେଖାଇଥିଲେ ବୈକୁଣ୍ଠ । ଭୀମସେନ ମଧ୍ୟ ପୂର୍ବରୁ ଗିରଫ ହୋଇ ସାରିଛି ।
ନିଜ ସମ୍ପର୍କୀୟଙ୍କ ଅଜାଣତରେ ତାଙ୍କ ନାମରେ ୧୨ଟି ଭିନ୍ନଭିନ୍ନ ଆକାଉଣ୍ଟ ଖୋଲି ଠକେଇ ଟଙ୍କା ରଖି ଖର୍ଚ୍ଚ କରୁଥିଲା ବୈକୁଣ୍ଠ । ୨୫ବର୍ଷ ବୟସରୁ ଏଭଳି ଠକାମୀର ପ୍ଲାନ ଶୁଣି EOW ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ବୈକୁଣ୍ଠ ନିକଟରୁ ୧୭ଟି ଏଗ୍ରିମେଣ୍ଟ୍ ପେପର ଜବତ କରିଛି EOW ଅଧିକାରୀ । ଚାକିରି କରେଇଦେବା ନାଁରେ ଆଶାୟୀ ପିଲାଙ୍କ ସହ ସେଲ୍ଫ ଏଗ୍ରିମେଣ୍ଟ କରିଥିଲା । ଏହାଦ୍ବାରା ପିଲା ତାକୁ ଭରସା କରୁଥିଲେ । ଏଭଳି ଭାବରେ ୧କୋଟି ଟଙ୍କାର ସେ ଏକାକି ନେଇଥିଲା । ବାକି ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଲୋକଙ୍କ ଭାଗରେ ପଡ଼ିଥିଲା । ଏହାକୁ ଅଧିକ ଯାଞ୍ଚ ପାଇଁ ପୁଣି ଥରେ ବୈକୁଣ୍ଠକୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି EOW ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ