ଭୁବନେଶ୍ବର: ବଢ଼ିଲା ଅଟୋ ଭଡ଼ା । ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରି ଥିବାବେଳେ ଅଟୋ ଚାଳକ ଭଡା ବୃଦ୍ଧି କରିଛନ୍ତି । ତେବେ ଭୁବନେଶ୍ବରରେ ଯାତ୍ରୀଙ୍କୁ ମୁଣ୍ଡପିଛା ସର୍ବନିମ୍ନ ଭଡ଼ା ୨୦ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି ।
ବାରମ୍ବାର ତୈଳଦର ବୃଦ୍ଧି ଓ କୋଭିଡ୍ କଟକଣା ଯୋଗୁଁ ଅଟୋରେ ସର୍ବାଧିକ ୨ଜଣ ଯାତ୍ରୀଙ୍କୁ ପରିବହନ କରିବାର ନିୟମକୁ ଦୃଷ୍ଟିରେ ରଖି ଭଡ଼ା ବୃଦ୍ଧି କରାଯାଇଥିବା ଜଣାପଡିଛି । ତେବେ ଯାତ୍ରୀଙ୍କୁ ସର୍ବନିମ୍ନ ୩ କିମି ପାଇଁ ୨୦ଟଙ୍କା ଦେବାକୁ ପଡ଼ିବ । ତା ଠୁ ଅଧିକ ହେଲେ ୧କିମି ପିଛା ୧୦ଟଙ୍କା ଦେବାକୁ ପଡ଼ିବ। ଯଦି ଅଟୋ ରିଜର୍ଭ କରିବେ ତାହେଲେ ୩ କିମି ପାଇଁ ଯାତ୍ରୀଙ୍କୁ ୫୦ଟଙ୍କା ଓ ତା ଠୁ ଅଧିକ ହେଲେ ୧କିମି ପିଛା ଅତିରିକ୍ତ ୧୫ଟଙ୍କା ଦେବାକୁ ପଡ଼ିବ । ୨୦୦୫ ମସିହା ପରଠୁ ଆଉ ଅଟୋ ଭଡ଼ା ଧାର୍ଯ୍ୟ ହୋଇନାହିଁ । ଅଟୋ ରିକ୍ସା ଚାଳକମାନେ ବିନା ଦର ଧାର୍ଯ୍ୟରେ ଅଟୋ ଚଲାଉଛନ୍ତି ।
କିନ୍ତୁ ଅନ୍ୟପଟେ ବର୍ଦ୍ଧିତ ଅଟୋ ଭଡ଼ାକୁ ଖଣ୍ଡନ କରିଛନ୍ତି ଅଟୋ ମହାସଙ୍ଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ । ତେବେ ସେ ଯାତ୍ରୀମାନଙ୍କୁ ଅଟୋ ଭଡ଼ାକୁ ନେଇ ବ୍ୟସ୍ତ ବିବ୍ରତ ନହେବାକୁ କହିଛନ୍ତି । ଯେବେ ନିଷ୍ପତ୍ତି ନିଆଯିବ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ମହାସଙ୍ଘର ସାଧାରଣ ସମ୍ପାଦକ କହିଛନ୍ତି ।
ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ