ଭୁବନେଶ୍ବର : କିଛି ଦିନ ହେବ ଗଣମାଧ୍ୟମର ଶିରୋନାମା ପାଲଟିଛି ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳ । ଉଭୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳଙ୍କୁ ଅନଲାଇନ ଅଟୋ ଡ୍ରାଇଭର ମହାସଂଘର ସଦସ୍ୟ ବିରୋଧ କରିଛନ୍ତି।
ବିରୋଧ କରିବା ସହ ସଂଘର ସଦସ୍ୟ ରାଜଧାନୀର ସମସ୍ତ ଥାନାରେ ଏତଲା ମଧ୍ୟ ଦେଇଛି । ସମାଜ ଓ ଆମ ଅଟୋ ଡ୍ରାଇଭରଙ୍କୁ କଳୁଷିତ କରୁଥିବା ଟୁଙ୍ଗୁରୁ ଭୋଳ ସହ ଭାଇରଲ ହେଉଥିବା ବର୍ଷାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରାଯାଇଛି । ଏହାସହ ଉଭୟଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ ଦାବୀ କରିଛି ମହାସଂଘ ।
ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ତାଙ୍କର ବ୍ୟକ୍ତିଗତ ସମସ୍ୟା ଏବେ ସୋସିଆଲ ମିଡ଼ିଆ ସମେତ ମ୍ୟୁଜିକ ଆଲବମ ମାଧ୍ୟମରେ ଭାଇରଲ ହେଉଛି । ଏହି ଭିଡ଼ିଓ ପାଇଁ ଅଟୋ ଚାଳକଙ୍କ ସମ୍ମାନ ହାନୀ ହେଉଛି । ଲୋକମାନେ ଅଟୋରେ ବସିବା ସମୟରେ ଆମର ଟାହିଟାପରା ସହ ମଜା ଉଡାଉଛନ୍ତି ବୋଲି କହିଛି ମହାସଂଘ । ଯାହା ଆମ ସ୍ବାଭିମାନକୁ ବେଶ ବାଧୁଛି । ତେଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅଟୋଚାଳକ ମହାସଂଘ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି ।
ସେହିପରି ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ପ୍ରତିି ଦେଉଥିବା ଅଶାଳୀନ ମନ୍ତବ୍ୟ ଓ ତାକୁ ନେଇ ଅଶାଳୀନ ଗୀତ ପ୍ରସ୍ତୁତ କରୁଥିବା ମ୍ୟୁଜିକ ସଂସ୍ଥା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି। ଏଥିଯୋଗୁଁ ଅଟୋ ଚାଳକମାନଙ୍କ ସ୍ବାଭିମାନ ଓ ସମ୍ମାନ ପ୍ରତି ଆଞ୍ଚ ଆସିବା ସହିତ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡୁଛି । ତେଣୁ ତୁରନ୍ତ ଏହି ଦିଗରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି କହିଛି ସଂଘ ।
ଇଟିଭି ଭାରତ, ଭୁବନେଶ୍ବର