ଭୁବନେଶ୍ବର: ପାଞ୍ଚ ଶତାବ୍ଦୀ ଧରି ଆମକୁ ଆଧ୍ୟାତ୍ମିକ ସୂତ୍ରରେ ବାନ୍ଧି ରଖିଛି ମହାକବି ଜଗନ୍ନାଥ ଦାସଙ୍କ ମହାନ କୃତୀ ଓଡ଼ିଆ ଭାଗବତ । ଭାଗବତ ହେଉଛି ଏ ଜାତିର କୁଳଗ୍ରନ୍ଥ । ଭାଗବତ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଛି ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା । ଭୁବନେଶ୍ବର ସଂସ୍କୃତି ଭବନ ପରିସରରେ ମହାକବି ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ଜ୍ଞାପନ କରିଛନ୍ତି ସଂଜୟ କୁମାର ଦାସବର୍ମା ।

ଓଡ଼ିଆ ଭାଗବତର ମହାନ୍ ସ୍ରଷ୍ଟା ଅତିବଡି ଜଗନ୍ନାଥ ଦାସଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଆଜି କବିଙ୍କ ଜନ୍ମସ୍ଥାନ ପୁରୀର କପିଳେଶ୍ଵରପୁର ଶାସନ ଓ ରାଜ୍ୟସ୍ତରରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ମହା ସମାରୋହରେ ପାଳିତ ହେଉଛି । ଏହି ଉପଲକ୍ଷେ ସଂସ୍କୃତି ଭବନ ପରିସରରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏଥିରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା, ଏକାଡେମୀ ସଭ୍ୟ ଡ. ବିବେକାନନ୍ଦ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ସାହିତ୍ୟର ତିନି ବରପୁତ୍ର ଜଗନ୍ନାଥ ଦାସ, ସାରଳା ଦାସ ଓ ବଳରାମ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଛନ୍ତି । ଏହି ଅବକାଶରେ ଅନ୍ୟମାନଙ୍କ ମଧ୍ୟରେ କବି ଡ. ପ୍ରସନ୍ନ କୁମାର ମହାନ୍ତି, ସାମ୍ବାଦିକ ଅରୁଣ କାନୁନଗୋ ଓ ଏକାଡେମୀର କର୍ମଚାରୀମାନେ ଉପସ୍ଥିତ ଥିଲେ ।


ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ