ଭୁବନେଶ୍ବର: ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ବିଲ୍ ବିଧାନସଭାରେ ପାରିତ ହୋଇଛି । କୋଭିଡ୍-୧୯ ଯୋଗୁଁ ସରକାରଙ୍କ କଟକଣା ଫଳରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି । ଏହାସହ ଆଇନଜୀବୀମାନଙ୍କ ଜୀବିକା ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇଛି । ନିକଟରେ ଉଚ୍ଚ ନ୍ୟାୟାଳୟ ଓ ରାଜ୍ୟ ବାର କାଉନସିଲ୍ ଦ୍ଵାରା ପ୍ରସ୍ତାବିତ ପରିକଳ୍ପନା ଅନୁସାରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
![ବିଧାନସଭାରେ ପାରିତ ହେଲା ଓଡିଶା ଆଇନିଜୀବୀ କଲ୍ୟାଣ ପାଣ୍ଠି ବିଲ୍](https://etvbharatimages.akamaized.net/etvbharat/prod-images/9071151_666_9071151_1601981717418.png)
ଏହାକୁ ଆଖି ଆଗରେ ରଖି ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ ପାଣ୍ଠି ଗଠନ କରିବା ସହ କୌଣସି ବିଧିସମ୍ମତ ସୁତ୍ରରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ । ଏହାକୁ ଭିତ୍ତିକରି ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧିନିୟମ ୧୯୮୭ ଅନୁଯାୟୀ ଗଠିତ ଆଇନଜୀବୀ କଲ୍ୟାଣ ପାଣ୍ଠିରୁ, ଅଭାବୀ ଆଇନଜୀବୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଅର୍ଥ ବିଭାଗ ଆର୍ଥିକ ସହାୟତା ଯୋଗାଇଛନ୍ତି ।
ଏହି ପାଣ୍ଠି କେବଳ ଅବସର କିମ୍ବା ମୃତ୍ୟୁ ପାଇଁ ଉଦ୍ଧିଷ୍ଟ ଥିଲା । ଏହାକୁ ଏବେ ସଂଶୋଧନ କରାଯାଇଛି । ଏହି ସଂଶୋଧନ ଫଳରେ ଏଣିକି ପ୍ରାକୃତିକ ଦୁର୍ବିପାକ, ମହାମାରୀ ଓ ଆଇନଜୀବୀ ପେଶାକୁ ପ୍ରଭାବିତ କରିବା ଭଳି ଅନୁରୂପ ସ୍ଥିତିରେ ମଧ୍ୟ ଏହି ପାଣ୍ଠିରୁ ସହାୟତା ମିଳିପାରିବ । ଆଜି ବିଧାନସଭାରେ ଏହା ପାରିତ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ