ଭୁବନେଶ୍ବର: ଜୀବନ ଜୀବିକାକୁ ଜାବୁଡି ଧରିଛି କୋରୋନା । ଭୂତାଣୁ ସହ ସଂଘର୍ଷ ମଧ୍ୟରେ ଭାଙ୍ଗି ଯାଇଛି ଆର୍ଥିକ ମେରୁଦଣ୍ଡ । ସେପଟେ ବହୁ ଦିନ ଧରି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିବା ଯୋଗୁଁ ଘରେ ବସିଛନ୍ତି ଶିକ୍ଷାର୍ଥୀ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବସ୍ତି ପିଲାଙ୍କ ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ସେ ନିସ୍ବାର୍ଥପର ଭାବେ ଗରୀବ ପିଲାଙ୍କୁ ଦେଉଛନ୍ତି ମାଗଣା ହସ୍ତକଳା ଶିକ୍ଷା । ଏହି ଶିଳ୍ପୀ ଜଣକ ହେଉଛନ୍ତି ଭୁବନେଶ୍ବର ଖଣ୍ଡଗିରି ବସ୍ତି ଅଞ୍ଚଳର ପ୍ରମୋଦ ମୁଦୁଲି । ଯିଏକି ନିଜ ଘରେ ଓଡିଶା ଆର୍ଟ ଫାଉଣ୍ଡେସନ ନାମକ ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଖୋଲି ବସ୍ତି ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସେହିପରି ଆର୍ଥିକ ଅଭାବ ଯୋଗୁଁ ଏହି ହସ୍ତକଳା ଶିକ୍ଷାରୁ ବଞ୍ଚିତ ପିଲାମାନେ ବି ଛୁଟି ଆସୁଛନ୍ତି ପ୍ରମୋଦ ସାରଙ୍କ ଅନୁଷ୍ଠାନକୁ ।
2010ରେ ବିକେ ଆର୍ଟ କଲେଜରୁ ପାସ୍ ଆଉଟ ପରେ ଗରୀବ ପିଲାଙ୍କୁ ମାଗଣା ହସ୍ତକଳା ପ୍ରଶିକ୍ଷଣ ଦେବାକୁ ମନ ବଳାଇଥିଲେ ପ୍ରମୋଦ । ଯାହାକୁ କୋରୋନା କାଳରେ ସେ ବାସ୍ତବତାର ରୂପ ଦେଇଛନ୍ତି । ନିଜ ଘରେ ପ୍ରାକୃତିକ ପରିବେଶ ମଧ୍ୟରେ ଆର୍ଟ ଅନୁଷ୍ଠାନ ଖୋଲିଛନ୍ତି । ଯେଉଁଠିକୁ ପ୍ରାୟ 60ରୁ ଉର୍ଦ୍ଧ୍ବ ପିଲା ଆସି ତାଙ୍କ ପାଖରୁ ହସ୍ତକଳା ଶିଖୁଛନ୍ତି । ପ୍ରମୋଦଙ୍କ ଠାରୁ ଶିକ୍ଷା ପାଇ ବିଭିନ୍ନ ଚିତ୍ରାଙ୍କନ ସହ ଟେରାକୋଟା କଳାରେ ବି ପିଲାମାନେ ନିଜ ପ୍ରତିଭା ଦେଖାଉଛନ୍ତି । ସେହିପରି ପିଲାଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରମୋଦ ମାଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଆକର୍ଷଣୀୟ ସାମଗ୍ରୀର ରୂପ ଦେଉଛନ୍ତି । ଘରସଜ୍ଜା ଠାରୁ ରୂପ ସଜ୍ଜା ଯାଏଁ ସବୁ ହସ୍ତକଳାରେ ନିଜ ହାତର ଯାଦୁ ଦେଖାଉଛନ୍ତି ସେ ।
ପ୍ରମୋଦ ୱାଟର ଫାଉଣ୍ଟେନ, ଫୁଲକୁଣ୍ଡ, ପ୍ରତିମୂର୍ତ୍ତି ସହ ମାଟି ତିଆରି ହାର ଓ କାନଫୁଲ ଭଳି ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରନ୍ତି । କହିବାବୁ ଗଲେ ଘର ସଜାଠାରୁ ରୂପସଜ୍ଜା ଯାଏଁ ସବୁକାଳରେ ସେ ପାରଙ୍ଗମ । ତାଙ୍କର ପ୍ରତିଟି କାରୁକାର୍ଯ୍ୟର ଖୁବ୍ ଚାହିଦା ରହିଛି ବଜାରରେ । ଏସବୁକୁ ବିଭିନ୍ନ ରାଜ୍ୟର ପ୍ରଦର୍ଶନୀରେ ପ୍ରମୋଦ ପ୍ରଦର୍ଶିତ କରିଥାନ୍ତି । ତେଣୁ ନିଜର ଏହି ଅନ୍ତର୍ନିହିତ ପ୍ରତିଭାକୁ ନିଜ ଭିତରେ ସୀମିତ ନ ରଖି ଗରୀବ ପିଲାଙ୍କ ବିକାଶ କ୍ଷେତ୍ରରେ ଲଗାଇଛନ୍ତି । ପ୍ରମୋଦଙ୍କ କହିବା କଥା ଅଧିକାଂଶ ଗରୀବ ପିଲାମାନେ ଅର୍ଥ ଅଭାବରୁ ଚାହିଁଲେ ସୁଦ୍ଧା ଏହି ଆର୍ଟ ସ୍କୁଲରେ ପଢି ପାରୁନାହାନ୍ତି । ଯାହାଫଳରେ ସେହି ପିଲାମାନଙ୍କୁ ମାଗଣାରେ ଚିତ୍ରକଳା ପ୍ରଶିକ୍ଷଣ ଦେଇ ସେ ବେଶ୍ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ଏବଂ ଭବିଷ୍ୟତରେ ସେମାନଙ୍କୁ ଜଣେ ଜଣେ ଭଲ ଚିତ୍ରଶିଳ୍ପୀ କରିବାକୁ ଆଶା ରଖଛନ୍ତି । ଛୋଟ ଛୋଟ ପିଲାମାନେ ମଧ୍ୟ ପ୍ରମୋଦଙ୍କ ଠାରୁ ପ୍ରଶିକ୍ଷଣ ପାଇଁ ଖୁସି ବ୍ୟକ୍ତି କରିଛନ୍ତି ।
ଖାଲି କୁନି କୁନି ପିଲା ନୁହଁନ୍ତି, ପ୍ରମୋଦ ଅନେକ ମହିଳାଙ୍କୁ ମଧ୍ୟ ମାଗଣାରେ ହସ୍ତକଳା ଶିକ୍ଷା ଦେଇ ସ୍ବାବଲମ୍ବୀ କରିଛନ୍ତି । ଶିଳ୍ପୀ ପ୍ରମୋଦଙ୍କ ଏଭଳି ନିସ୍ବାର୍ଥପରତା 'ଦେବାରେ ଯେଉଁ ମଜା ତାହା ନେବାରେ ନାହିଁ' ବୋଲି ପ୍ରମାଣିତ କରିଛି । ସେହିପରି ପ୍ରମୋଦ ଆହୁରି କଷ୍ଟ କରି ଗୋଟିଏ ସ୍କୁଲ ଖୋଲିବାରୁ ଲକ୍ଷ୍ୟ ରଖିଥିବା ଜଣାଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ