ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଯେପରିକି ନାକଚ ନହେବ ସେଥିପାଇଁ ବିଜେପି ପକ୍ଷରୁ ଉଭୟ ସାଂସଦ ଓ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେମିତି ଗୋଟିଏ ବି ଭୋଟ ନାକଚ ନହେବ ସେନେଇ ଉଭୟ ସାଂସଦ ଓ ବିଧାୟକଙ୍କର ମକଡ୍ରିଲ କରାଯିବ ।
ସଂଘର୍ଷ, ସତ୍ୟ ଓ ସାଧନାର ସମ୍ମିଳିତ ପ୍ରୟାସ । ଯେ ଦିନେ ପଢ଼ିବା ପାଇଁ ଘର ସାଙ୍ଗରେ ଲଢ଼ିଥିଲା, ଆଦିବାସୀଙ୍କ ହକ୍ ପାଇଁ ସଂଘର୍ଷ କରିଥିଲା, ଜୀବନକୁ ତିଳତିଳ କରି ଜାଳିଦେଇ ଲୋକସେବାରେ ବ୍ରତୀ ହୋଇଥିଲା, ଆଜି ସେ ହେବାକୁ ଯାଉଛନ୍ତି ଦେଶର ପ୍ରଥମ ନାଗରିକ ଅର୍ଥାତ୍ ରାଷ୍ଟ୍ରପତି ।
ତେଣୁ ତାଙ୍କୁ ସମସ୍ତେ ସମର୍ଥନ କରିବା ଉଚିତ । ଏଥିପାଇଁ ବିଜେପି ହୋମୱାର୍କ କରିବ । କୌଣସି ପ୍ରକାର ଭୁଲ୍ ନହେବ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । କାରଣ ଆମେ ସମସ୍ତେ ଚାହୁଁଛୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତୁ । ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଅପରାଜିତା । କୌଣସି ପରିସ୍ଥିତିରେ ଗୋଟିଏ ଭୋଟ ବି ନାକଚ ହେବ ନାହିଁ ସେ ଦିଗରେ ଟ୍ରେନିଂ ଦିଆଯିବ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଂସଦ ଓ ବିଧାୟକ କେମିତି ଭୋଟ ଦେବେ ସେନେଇ ମକଡ୍ରିଲ ହେବ । ଏଥିନିମନ୍ତେ ଦଳ ପକ୍ଷରୁ ସମସ୍ତ ସାଂସଦଙ୍କୁ ୧୬ ତାରିଖରେ ଦିଲ୍ଲୀ ଡକାଯାଇଛି । ଦିଲ୍ଲୀରେ ଓଡ଼ିଶାର ବିଜେପି ସାଂସଦଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେହିଭଳି ଓଡି଼ଶାର ୨୨ଜଣ ବିଜେପି ବିଧାୟକଙ୍କୁ ଭୁବନେଶ୍ବରେ ପ୍ରଶିକ୍ଷଣ ଦିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର