ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ରକ୍ତ ସଂଗ୍ରହ ଶିବିର ପାଇଁ ଆଉ 5ଟି ଭ୍ରାମ୍ୟମାଣ ଯାନର ବ୍ୟବସ୍ଥା ହୋଇଛି । ପୂର୍ବରୁ ଗ୍ରାମାଞ୍ଚଳରେ ରକ୍ତ ସଂଗ୍ରହ ଲାଗି 9ଟି ଭ୍ରାମ୍ୟମାଣ ଯାନ କାର୍ଯ୍ୟ କରୁଥିଲା । ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ବିନା ଅର୍ଥରେ ରକ୍ତ ଓ ରକ୍ତ ସଞ୍ଚାଳନ ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଉଛି । 55ଟି ସରକାରୀ ରକ୍ତ ଯୋଗାଣ କେନ୍ଦ୍ର ସହ ସମୁଦାୟ 85ଟି ରକ୍ତ ଯୋଗାଣ କେନ୍ଦ୍ର ଓଡିଶାରରେ କାର୍ଯ୍ୟ କରୁଛି । 24ଟି ପୃଥକୀକରଣ ୟୁନିଟ ଏବେ ରାଜ୍ୟରେ କାର୍ଯ୍ୟକ୍ଷମ ଅଛି । 11ଟି ରକ୍ତ ଯୋଗାଣ କେନ୍ଦ୍ରରେ NAT ଟେଷ୍ଟ ସୁବିଧା ରହିଛି ।
କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ରାଜ୍ୟରେ ଚଳିତ ବର୍ଷ 4,87,022 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସେଥିରୁ 2,60,795 ୟୁନିଟ ରକ୍ତ 4,947ଟି ଭ୍ରାମ୍ୟମାଣ ଶିବିରରୁ ସଂଗୃହିତ ହୋଇଛି । ଗ୍ରାମାଞ୍ଚଳରେ ରକ୍ତ ସଂଗ୍ରହ ଶିବିର ଆୟୋଜନ ପାଇଁ 9ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ବ୍ୟବସ୍ଥା କରାଯାଇ ଥିବାବେଳେ ଚଳିତ ବର୍ଷ ପୁଣି 5ଟି ଭ୍ରାମ୍ୟମାଣ ଯାନର ବ୍ୟବସ୍ଥା କରାଯାଉଛି । ସରକାରୀ ରକ୍ତ ଯୋଗାଣ କେନ୍ଦ୍ରକୁ ଆସୁଥିବା ସମସ୍ତ ଥାଲେସମିଆ ରୋଗୀ ବିନା ଟଙ୍କାରେ ଲ୍ୟୁକୋଫିଲେସନ ଚିକିତ୍ସାର ସୁବିଧା ପାଉଛନ୍ତି । ଥାଲେସେମିଆ ରୋଗୀଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରିବା ପାଇଁ ମାସକୁ ୫୦୦ ଟଙ୍କା ସହାୟତା ଦିଆଯାଉଛି । ସମସ୍ତେ ରକ୍ତ ଦାନ କରିବା ସହ ଏକ ଅମୂଲ୍ୟ ମାନବ ଜୀବନ ରକ୍ଷା କରାଯାଇପାରିବ ବୋଲି ମଙ୍ଗଳବାର ବିଶ୍ବ ରକ୍ତଦାତା ଦିବସ ଅବସରରେ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।