ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ । ୧୭ ଦଫା ଦାବିନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କର୍ମୀ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ଓ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଏହି ବିକ୍ଷୋଭ କରାଯାଇଛି ।
ରାଜ୍ୟରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଭତ୍ତା ବୃଦ୍ଧି କରାଗଲା ନାହିଁ । ଦରଦାମ ବୃଦ୍ଧି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ SNP ଦର ସଂଶୋଧନ କରାଯାଇ ନାହିଁ କି ନିୟମିତ ଭାବେ ଅର୍ଥ ପଠାଯାଉ ନାହିଁ । ଗତ ସେପ୍ଟେମ୍ବର ୨୦୧୯ରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ସଂଯୋଗ ନିମନ୍ତେ ଅନୁଦାନ ଜିଲ୍ଲାକୁ ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ୟାସ ସଂଯୋଗ କରାଗଲାନାହିଁ । ନିମ୍ନମାନର ମୋବାଇଲ ଦେବାପରେ ପୋଷଣ ଟ୍ରାକ ଓ ଅନ୍ୟାନ୍ୟ ପ୍ରୋଗ୍ରାମ ଲୋଡ କରିବାକୁ ବାଧ୍ୟ କରୁଛନ୍ତି । ଆଉ ଏହାର ପ୍ରତିବାଦ କଲେ ଦୈନନ୍ଦିନ ଆକ୍ରମଣ ଓ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ସହ ଦରମା ବନ୍ଦ କରାଯାଉଛି ।
ତେଣୁ ତୁରନ୍ତ ଭତ୍ତାବୃଦ୍ଧି, ଶତ ପ୍ରତିଶତ ସୁପରଭାଇଜର ପ୍ରମୋଶନ, ନିମ୍ନମାନର ମୋବାଇଲ ଫେରାଇନେଇ ଉନ୍ନତମାନର ମୋବାଇଲ ଯୋଗାଇ ଦେବା, ଯେଉଁମାନେ ଭତ୍ତା ପାଇ ନାହାଁନ୍ତି ତୁରନ୍ତ ଏହାର ସମାଧାନ, ମାର୍ଚ୍ଚ ମାସର ଦରମା ପାଇନଥିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ଅବସରକାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା ଧାର୍ଯ୍ୟ, ସର୍ବନିମ୍ନ ଭତ୍ତା ୨୧,୦୦୦ ଟଙ୍କା, ପେନସନ ୩୦୦୦ ଟଙ୍କା ଆଦି ୧୭ ଦଫା ଦାବି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସମେତ ମୂଖ୍ୟମନ୍ତ୍ରୀମାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ଆଗକୁ ଯଦି ସରକାର ସେମାନଙ୍କ ଦାବି ନ ଶୁଣନ୍ତି, ତେବେ ବିଧାନସଭା ବନ୍ଦ କରିବା ସହ ପଞ୍ଚାୟତ ନିର୍ଵାଚନରେ ଏହାର ଜବାବ ଦେବୁ ବୋଲି କହିଛନ୍ତି ଅଙ୍ଗନୱାଡ଼ି କର୍ମୀ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ