ଭୁବନେଶ୍ବର: ଖରାଦିନେ ତାପମାତ୍ରା ବୃଦ୍ଧି କାରଣରୁ ଦେହରୁ ଜଳୀୟ ବାଷ୍ପ କମିବାରେ ଲାଗିଥାଏ ତେଣୁ ଅନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମ ଋତୁରେ ଆମକୁ ଅଧିକ ଶୋଷ ଲାଗିଥାଏ । ଡାକ୍ତର ମଧ୍ୟ ଅଧିକରୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଆମକୁ ଶୋଷ ଲାଗିଲେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଆମେ ଯେ କୌଣସି ବାଟରେ ପାଣି ଟିକିଏ ପିଇଦେଇଥାଏ ତାହା କିଣିକି ହେଉ ବା ଛାଣିକି । ହେଲେ କେବେ ଭାବିଛନ୍ତି ନିରୀହ ପକ୍ଷୀଙ୍କ କଥା । ଅନ୍ୟ ଦିନ ଅପେକ୍ଷା ଗ୍ରୀଷ୍ମଋତୁରେ ଅସହ୍ୟ ଗରମ କାରଣରୁ ନିରୀହ ପକ୍ଷୀଙ୍କ ମୃତ୍ୟୁ ଅଧିକ ଘଟିଥାଏ । ବିଶେଷ କରି ସହରୀ ଅଞ୍ଚଳରେ ଜଳାଶୟଗୁଡିକ ଶୁଖିଯାଇଥିବାରୁ ଜଳ ଅଭାବରେ ତାଙ୍କର ମୃତ୍ୟୁ ଘଟିଥାଏ ।
ଏଭଳି ନିରୀହ ପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ଏବଂ ଭୁବନେଶ୍ୱର ମଳିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ସଚେତନା ବାର୍ତ୍ତା । ଜାତିସଙ୍ଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ପଶୁ ପକ୍ଷୀଙ୍କ ନିଶା ତାଙ୍କୁ ଦେଇଛି ନୂଆ ପରିଚୟ । ପରିବେଶର ଜାଗ୍ରତ ପ୍ରହରୀ ସାଜିଛନ୍ତି ଶୁଭ୍ରାଂଶୁ । ବାପା ଜଣେ ବନ ବିଭାଗ ଅଧିକାରୀ ଥିଲେ । ତେଣୁ ବାଲ୍ୟକାଳର ତାଙ୍କର ଅଧିକାଂଶ ସମୟ ଜଙ୍ଗଲ ମଧ୍ୟରେ ବିତିଛି । ଫଳରେ ଖୁବ୍ କମ୍ ବୟସରେ ସେ ପ୍ରକୃତି ପ୍ରେମରେ ଆବଦ୍ଧ ହୋଇଯାଇଥିଲେ ।
ବାଣିଜ୍ୟ ବିଭାଗର ଛାତ୍ର ହୋଇ ସୁଦ୍ଧା ସେ ସଦାସର୍ବଦା ପ୍ରକୃତି ମନସ୍କ ଥିଲେ । ତାଙ୍କ ମନରେ ଥିଲା କିଛି ନୁଆ କରି ଦେଖାଇବାର ଜିଜ୍ଞାସା । ସେଥି ପାଇଁ ଫୋଟଗ୍ରାଫି, ଚଳଚ୍ଚିତ୍ର ନିର୍ମାଣ ଏବଂ ପରିବେଶ ସୁରକ୍ଷା ସଂଶ୍ଳିଷ୍ଟ ଗବେଷଣାକୁ ପ୍ରାଧାନ୍ୟ ଦେଉଥିଲେ । ପ୍ରକୃତି ପ୍ରେମୀ ଶୁଭ୍ରାଂଶୁ ଶତପଥୀ କିଟ୍ ଫିଲ୍ମ ସ୍କୁଲରୁ ପାଠ୍ୟକ୍ରମ ଶେଷ କରି "ପ୍ରକୃତି ଓ ଜୀବଜନ୍ତୁଙ୍କ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେ ସ୍ଥିର କରିଥିଲେ ତାଙ୍କର ବ୍ୟକ୍ତିଗତ ସମୟ ଓ ସାମର୍ଥ୍ୟ ବନ୍ୟ ପ୍ରାଣୀଙ୍କର ସୁରକ୍ଷା କ୍ଷେତ୍ରରେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ଜନସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ କରିବେ । ତତ୍ ସଙ୍ଗେ ସେ ବନ୍ୟଜନ୍ତୁ ଏବଂ ତାଙ୍କର ସୁରକ୍ଷା ପାଇଁ ଅନେକ କିଛି ଲେଖା ଲେଖିଥିଲେ । ଏପରିକି http:theyreallyneedus.blogspot.in ବ୍ଲଗରେ ମଧ୍ୟ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ।
ଜଣେ ସ୍ଵେଚ୍ଛାସେବୀ ରୂପେ ପ୍ରକୃତି ସଂରକ୍ଷଣ ସଂସ୍ଥା, ୱାର୍ଲଡ ୱାଇଲ୍ଡ ଲାଇଫ ଫଣ୍ଡ ଇଣ୍ଡିଆ, ବିଶ୍ଵ ଏକତ୍ରୀ କରଣ ପ୍ରକଳ୍ପ, ରେଜିଷ୍ଟର୍ ସଦସ୍ୟ ରୂପେ ବିଶ୍ଵ ଫଟୋଗ୍ରାଫି କ୍ଲବ୍, ସଂରକ୍ଷଣ ଓ ସମାଜ, ସିବିଏମଆଇ, କଞ୍ଜରଭେସନ ଅନଲାଇନ ଷ୍ଟୁଡେଣ୍ଟ ଆସୋସିଏସନ, ବିଶ୍ଵ ଫଟୋ ଗ୍ରାଫି ସଂଗଠନ, ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଲବ୍ ଓ ବନ୍ୟପ୍ରାଣୀ ଚଳଚ୍ଚିତ୍ର ସଂଗଠନରେ କାର୍ଯରତ ଥିଲେ । ତାଙ୍କ ଦ୍ୱାରା ନିର୍ମିତ ଭାରତୀୟ ବନ୍ୟପ୍ରାଣୀ ଓ ସଂରକ୍ଷଣ ସମ୍ବନ୍ଧୀୟ ଆଠଟି ଫିଲ୍ମ ମନୋନୀତ ହୋଇଛି । ବର୍ତ୍ତମାନ ସେ ହିୟର ଫର କଞ୍ଜରଭେସନ ନାମକ ଏକ ଇନିସିଏଟିଭ ଆରମ୍ଭ କରିଛନ୍ତି । ଯେଉଁଥିରେ ସୂଚନା, ପ୍ରେରଣା ତଥା ସାଧାରଣ ଲୋକଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା ଓ ଦାୟିତ୍ଵବୋଧ ସମ୍ବଳିତ ବିଷୟ ରହିଛି ।
ତାଙ୍କ ଦ୍ୱାରା ନିର୍ମିତ ୨ଟି ପ୍ରମାଣିକ ଚଳଚ୍ଚିତ୍ର 'ଦେ ରିୟଲୀ ନିଡ଼ ଅସ' ଏବଂ ' ଲେଟ ଦେମ ବ୍ରିଥ ' UK wildlife Award, ଦାଦା ସାହେବ ସ୍କ୍ରିନିଂ ଆୱାର୍ଡ ସହ ଅନେକ ଜାତୀୟ ଅନ୍ତର୍ଜାତୀୟସ୍ତରରେ ମନୋନୀତ ଏବଂ ପୁରସ୍କୃତ ହୋଇଛି । ପରିବେଶ ପ୍ରତି ତାଙ୍କର ଅବଦାନ ହେତୁ ତାଙ୍କୁ ଜାତିସଙ୍ଘ "ବିଶ୍ୱ ପରିବେଶ ହିରୋ" ଭାବରେ ପୁରସ୍କୃତ କରିଛି ।
ଏସଡିଜି ନଗେଟ ହାୱାରର ଷଷ୍ଠ ବାର୍ଷିକ ଉତ୍ସବରେ ସେ ମୁଖ୍ୟବକ୍ତା ଭାବେ ଅଂଶ ଗ୍ରହଣ କରିଥିଲେ । ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ଜିରୋ ୱେଷ୍ଟ ରନରେ ଭାରତରୁ ପ୍ରତିନିଧିତ୍ୱ କରି ୨୫ କିଲୋମିଟର ଦୌଡ ଆୟୋଜନ ଦ୍ଵାରା ପ୍ରାକୃତିକ ସଂରକ୍ଷଣ ତଥା ପ୍ଲାଷ୍ଟିକ ମୁକ୍ତ ପରିବେଶ ନିର୍ମାଣ ଥିଲା ମୁଖ୍ୟ ଲକ୍ଷ୍ୟ । ମୁଖ୍ୟ ବକ୍ତାଭାବେ ସେ ସ୍ଵଚ୍ଛ ଜଳ ଓ ପରିମଳ ଏବଂ ଶୁଷ୍କ ଭୂମିରେ ଜଳର ବିନିଯୋଗ ସମ୍ଵନ୍ଧରେ ତାଙ୍କର ମୁଖ୍ୟ ବାର୍ତ୍ତା ଥିଲା । ମହାମାରୀ ସମୟରେ ଜଳର ଗୁରୁତ୍ବ ସମ୍ବନ୍ଧରେ ବିଶ୍ଵ ପରିବେଶ ଦିବସ ୨୦୨୧ ଉପଲକ୍ଷେ ଏକ ପ୍ରାଚୀନ ପତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଯୁବ ଛାତ୍ର ଭାଗ ନେଇ ସଚେତନତା ବାର୍ତ୍ତା ଦେଇଥିଲେ । ରନ୍ ଫର ବ୍ରାହ୍ମଣୀ ଦ୍ଵାରା ନଦୀ ସଂରକ୍ଷଣ ଏବଂ ସଭ୍ୟତା ସଂରକ୍ଷଣର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ସ୍କୁଲ ପିଲାଙ୍କ ମଧ୍ୟରେ ପରିବେଶ ପାଇଁ ସଚେତନତା ପାଇଁ ବିଭିନ୍ନ ପରିବେଶ ସୁରକ୍ଷାଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶିତ କରିବା ସହ ବିଶ୍ଵ ପରିବେଶ ଦିବସ ୨୦୧୮ ରେ ସେ ମାନବ ଶୃଙ୍ଖଳ କାର୍ଯ୍ଯକ୍ରମ ଆୟୋଜନ ପୂର୍ବକ ଶହ ଶହ ଲୋକମାନେ ଏଥିରେ ସାମିଲ ହୋଇ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ପାଇଁ ୨୦୦୮ ମସିହାରୁ ସେ ପକ୍ଷୀଙ୍କୁ ଜଳ ପାତ୍ରରେ ଜଳଦାନ କରିବା ସହିତ ତୃଷାର୍ତ୍ତ ପକ୍ଷୀଙ୍କୁ ଜଳଦାନ ସମ୍ବନ୍ଧରେ ବିଭିନ୍ନ କର୍ମଶାଳା ଆୟୋଜନ ପୂର୍ବକ କୃତ୍ରିମ ପୁଷ୍କରିଣୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ତଥା ସାମାଜିକ ସ୍ଥାନରେ କିପରି ହୋଇପାରିବ ଯେଉଁଠାରେ ପକ୍ଷୀମାନେ ଗାଧେଇବା ସହ ପାଣି ପିଇ ପାରିବେ, ସେ ବିଷୟରେ ଆଲୋଚନା କରିଥାନ୍ତି ।
ସେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଊର୍ଦ୍ଧ୍ବ ମାଟି ପାତ୍ର ବଣ୍ଟନ କରିସାରିଛନ୍ତି । ଏଭଲି ପ୍ରେରଣା ମାଆଙ୍କ ଠାରୁ ପାଇଥିବା କହିଛନ୍ତି । ତେବେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯିବେ ଦୟା ବା ପକ୍ଷୀଙ୍କ ପାଇଁ ଏହି ଅଭିଯାନ ଆରମ୍ଭ କରି ଥିବାବେଳେ ରାଜ୍ୟ ବାହାରେ ମଧ୍ୟ ଏହାକୁ ଅନେକ ଲୋକ ଆପଣାଇଲେଣି । ତେବେ ଏହି ସଚେତନତା ବାର୍ତ୍ତାକୁ ବିଶ୍ବସ୍ତରୀୟ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଶୁଭ୍ରାଂଶୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ