ଭୁବନେଶ୍ବର: କୋରୋନା ମହାମାରୀ ମୁକାବିଲା ଲାଗି ବୁଧବାର ସର୍ବଦଳୀୟ ବୈଠକ ଡାକିଛି ସ୍ବାସ୍ଥ୍ୟ ବିଭାଗ । ଭିସି ଜରିଆରେ ହେବାକୁ ଥିବା ଏହି ବୈଠକରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଶାସକ ଓ ବିରୋଧୀ ବିଧାୟକମାନେ ଭାଗ ନେବେ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ବୈଠକରେ ଦୀର୍ଘ ୪ ମାସ ଧରି ରାଜ୍ୟ ସରକାର କୋରୋନା ମୁକାବିଲା ନେଇ ନେଇଥିବା ପଦକ୍ଷେପ ଓ ଆଗାମୀ ଦିନରେ ଫୋକସରେ ଥିବା ୪ ଟି ଜିଲ୍ଲାରେ କୋରୋନା ମୁକାବିଲା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ସ୍ବାସ୍ଥ୍ୟ ବିଭାଗ ଏନେଇ ସମସ୍ତ ବିଧାୟକଙ୍କୁ ଅବଗତ କରିବେ । ଅପରାହ୍ନ ୫ଟା ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିଶେଷ କରି ଜୁଲାଇ ମାସରେ କୋରୋନା ଯେପରି ୪ଟି ଜିଲ୍ଲାରେ ବୃଦ୍ଧି ପାଇଛି ଓ ଏହାକୁ ନିୟନ୍ତ୍ରଣ କରିବା ସହ ପ୍ଲାଜମା ଥେରାପି ନେଇ ରାଜ୍ୟ ସରକାର ଯେଉଁ ପ୍ରୟାସ କରି ସଫଳ ହୋଇଛନ୍ତି ତାହା ଉପରେ ଆଲୋଚନା ମଧ୍ୟ ହେବ । ଏନେଇ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ବାଚସ୍ପତି ବୈଠକରେ ନିଜ ନିଜ ମତ ରଖିବେ । ବିଧାୟକ ଓ ମନ୍ତ୍ରୀମାନେ ଜିଲ୍ଲାସ୍ତରରେ ଏହି ବୈଠକରେ ସାମିଲ ହେବେ ବୋଲି ବାଚସ୍ପତି କହିଛନ୍ତି ।
ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗର ଏପରି ପ୍ରୟାସକୁ ସ୍ବାଗତ କରିଛନ୍ତି ଶାସକ ଦଳର ନେତା । ସେହିପରି ବିଭାଗର ଏପରି ପ୍ରୟାସକୁ ସ୍ବାଗତ କରିବା ସହିତ ବିଳମ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ନେତା । ବେଶ ପୂର୍ବରୁ ଏପରି ଆଲୋଚନା ହେବାର କଥା ବୋଲି ବିରୋଧୀ ଦଳ ନେତା କହିଛନ୍ତି । ଯେତେବେଳେ ରାଜ୍ୟରେ କୋରୋନା ପିକରେ ଅଛି ସେତେବେଳେ ଆଲୋଚନା କାହିଁକି ଡାକୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସର୍ବଦଳୀୟ ବୈଠକ ଆଲୋଚନା କରନ୍ତୁ ଏବଂ ଅନ୍ୟ ପ୍ରଭାବୀ ଲୋକଙ୍କୁ ମଧ୍ୟ ଡାକିବା ଉଚିତ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ