ଭୁବନେଶ୍ବର: ବହି ବିକ୍ରି କରି କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ । ଏପରି ଅଭିଯୋଗ ଆଣିଛନ୍ତି ରାଜ୍ୟ ଅଭିଭାବକ ମହାସଂଘ । ଏପରି ଅଭିଯୋଗ ଆଣି ମହାସଂଘ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ଏହି ସ୍ମାରକ ପତ୍ର ଦେଇଛି ଅଭିଭାବକ ସଂଘ ।
ସଂଘର ଦାବି ଅନୁସାରେ ସ୍କୁଲ ଏନ.ସି.ଇ.ଆର.ଟି ଓ ଏସ.ସି.ଇ.ଆରଟି ଦ୍ବାରା ଅନୁମୋଦିତ ପାଠ୍ୟକ୍ରମ ଅନୁଯାଇ ବହି ପଢ଼ାଇବା ସହିତ ସମସ୍ତ ବହିର ତାଲିକା ପ୍ରକାଶକଙ୍କ ନାମ ନିଜ ନିଜ ସ୍କୁଲର ୱେବ ସାଇଟ, ନୋଟିସ ବୋର୍ଡ଼, ଏସ.ଏମ.ଏସ ଓ ଫୋନ ମାଧ୍ୟମରେ ଅଭିଭାବକଙ୍କୁ ଜଣାଇବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍ପଷ୍ଟ ଗାଇଡ଼ ଲାଇନ ରହିଥିବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେଉନାହିଁ ।
ଏ ସଂକ୍ରାନ୍ତରେ ଏନସିପିସିଆର ଓ ମାନବାଧିକାର କମିଶନଙ୍କ ନିର୍ଦେଶକୁ ମଧ୍ୟ ଫୁ କରିଦିଆଯାଇଛି । ଆଇ.ସି.ଏ.ସି ପାଠ୍ୟକ୍ରମ ବାହାରର ବହିକୁ ପ୍ରାଇଭେଟ ପବ୍ଲିକେସନମାନଙ୍କ ସହ ଭିତିରି ବୁଝାମଣା କରି ଦୀର୍ଘ ପାଞ୍ଚ ବର୍ଷ ହେଲା ଅଭିଭାବକଙ୍କୁ ଶୋଷଣ ଚଳାଇଛନ୍ତି l ପାଖାପାଖି ଦୁଇରୁ ଅଢେଇ କୋଟି ଟଙ୍କାର କାରବାର ଏହି ଆସୋସିଏସନ ନିଜ ବ୍ୟାଙ୍କ ଖାତାରେ କରିଥିବାର ଅଭିଯୋଗ ଆଣିଛି ସଂଘ ।
ବିକ୍ରି ହୋଇଥିବା ବହିର 43 % ଭାଗ ନିଜେ ନେବାକୁ ହୋଇଥିବା ଏକ ଅନୁବନ୍ଧନ ଦସ୍ତାବିଜ ମହାସଂଘ ହାତରେ ଲାଗିଥିବାରୁ ସଂଘ ରାଜ୍ୟପାଳଙ୍କୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଥିବା ସଂଘ କହିଛି l ଏହି ଘୋଟାଲାର ନିରପେକ୍ଷ ଭାବେ ତଦନ୍ତ କରାଗଲେ ସବୁ ଠକାମି ଲୋକଲୋଚନକୁ ଆସିବ ବୋଲି ମହାସଂଘ ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି l
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ