ଭୁବନେଶ୍ବର: ବାରମ୍ବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ପରେ ପ୍ରଶାସନର ଚେତା ପଶିଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି କମିଶନରେଟ ପୋଲିସ । ଅନ୍ୟପକ୍ଷେ ବିରୋଧୀଙ୍କ ହଟ୍ଟଗୋଳରେ ଆଜି ବି ବିଧାନସଭାକୁ ଅପରାହ୍ନ 3 ଟା ଯାଏଁ ମୁଲତବୀ ରଖାଯାଇଛି ।
ତେବେ ନ୍ୟାୟ ପାଇଁ କିଏ ଧାରଣା ଦେଉଛନ୍ତି ତ ଆଉ କିଏ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ବିଧାନସଭା ଆରମ୍ଭ ଦିନ ଠାରୁ ପ୍ରତ୍ୟେକ ଦିନ କେହି ନା କେହି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ଏଭଳି ସ୍ଥିତିରେ ପୋଲିସର ନିଦ ହଜିଯାଇଛି । ସେଥିପାଇଁ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଏକ କିଲୋମିଟର ଭିତରେ ସିଲ୍ କରିଛି କମିଶନରେଟ ପୋଲିସ । ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯାଉଥିବା ରାସ୍ତାକୁ ମଧ୍ୟ ସିଲ୍ କରିଦିଆଯାଇଛି ।
ଅନ୍ୟପଟେ ଗାନ୍ଧିମାର୍ଗ ରୋଡକୁ ମଧ୍ୟ ସିଲ କରିଦିଆଯାଇଛି । ଆପଣ ଚାହିଁଲେ ଏସବିଆଇ ପଛ ରାସ୍ତା ଦେଇ ଯାଇପାରିବେ । କମିଶନରେଟ ପୋଲିସ ମୁଖ୍ୟକାର୍ଯ୍ୟାଳୟ ସମ୍ମୁଖକୁ ମଧ୍ୟ ବନ୍ଦ କରିଦିଆଯାଇ ବିଧାନସଭାର ସୁରକ୍ଷାରେ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ