ଭୁବନେଶ୍ବର: ଗତକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ । ରାଜଧାନୀରେ ଥିବା ମନ୍ଦିର ସହିତ ଗୀର୍ଜା, ଚର୍ଚ୍ଚ ଓ ମସଜିଦ ମଧ୍ୟ ଖୋଲିଛି । କିନ୍ତୁ ସର୍ବତ୍ର କୋଭିଡ କଟକଣାକୁ ଅନୁପାଳନ କରିବା ପାଇଁ ପ୍ରୟାସ କରିଛି BMC । ଏନେଇ ମହାନଗର ନିଗମ ପକ୍ଷରୁ ଦର୍ଶନ ସମ୍ପର୍କିତ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।
ମାର୍ଗଦର୍ଶିକାର ନିୟମାବଳୀ ଅନୁସାରେ, ଦୁଇ ଡୋଜ ଟିକା ପ୍ରମାଣ ପତ୍ର, ଦର୍ଶନ ବେଳେ ସାନିଟାଇଜ୍ ଓ ମାସ୍କକୁ ଗୁରୁତ୍ବ ଦିଆଯାଇଛି । ମନ୍ଦିର ଭିତରେ ଗହଳି କରିବା ଓ ପାନ ଖାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ସମସ୍ତଙ୍କର ସ୍କ୍ରିନିଂ କରିବା ସହ ସ୍ଥିତି ଉପରେ ନଜର ରଖିବ ପୋଲିସ ଓ ମନ୍ଦିର ପ୍ରଶାସନ।
ସେହିପରି ଖୋଲିବା ପୂର୍ବରୁ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ। ଧର୍ମାନୁଷ୍ଠାନ ପରିସରରେ ଏକକାଳୀନ ସର୍ବାଧିକ ୨୫ ଜଣ ଶ୍ରଦ୍ଧାଳୁ ଏକତ୍ରିତ ହୋଇପାରିବେ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରିବା ମଧ୍ୟ ବାଧ୍ୟତାମୂଳକ ହୋଇଛି । ସେବାୟତ ଓ ପୂଜକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ସହିତ ଦୁଇ ଡୋଜ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଛି । ସାହାଣ ଦର୍ଶନ ଏବଂ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ସେହିପରି ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି BMC ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶକାରେ ଦର୍ଶାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ