ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ହେଲେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦିନକୁ ପ୍ରାୟ 50 ଉପରେ ରହୁଛି ମୃତ୍ୟୁସଂଖ୍ୟା । କୋଭିଡ ମୃ୍ତ୍ୟୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ରିପୋର୍ଟ ରିୟଲ ଟାଇମ ନୁହେଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ରାଜ୍ୟରେ ଦିନକୁ କୋଭିଡରେ ମୃତ୍ୟୁ ରିପୋର୍ଟକୁ ପ୍ରତି ଜିଲ୍ଲାରେ ଅଡିଟ କରାଯାଉଛି । ଜିଲ୍ଲା ସ୍ତରରେ ଏକ ଏକ୍ସପର୍ଟ ଟିମ ଦ୍ବାରା ଗଣନା କରାଯାଉଛି । ଏହା ପରେ ରିପୋର୍ଟକୁ ରାଜ୍ୟ ସରକାର ପଠାଉଛନ୍ତି । ବର୍ତ୍ତମାନ ରାଜ୍ୟରେ ଘୋଷଣା ହେଉଥିବା ମୃତକଙ୍କ ରିପୋର୍ଟ ଏକ ଅଡିଟ ରିପୋର୍ଟ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
କୋଭିଡ ମୃତ୍ୟୁସଂଖାକୁ ଲୁଚାଯାଇ ନାହିଁ । ରାଜ୍ୟରେ ଯେତେ ଜଣ କୋଭିଡରେ ପ୍ରାଣ ହାରିଛନ୍ତି ତାର ସ୍ପଷ୍ଟ ରିପୋର୍ଟ ପ୍ରକାଶ କରାଯାଇଛି । କୋରୋନା ପିକ ସମୟରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ କରାଯାଇ ତଥ୍ୟ ଆସୁଛି ବୋଲି କହିଛନ୍ତି ଡିଏମଇଟି ।
ଗତ ଦଶ ଦିନ ତୁଳନାରେ କଟକ, ଭୁବନେଶ୍ବରରେ ସଂକ୍ରମଣ କମିଛି । ତଥାପି ଅନ୍ୟ ଜିଲ୍ଲା ତୁଳନାରେ ସ୍ବତନ୍ତ୍ର ଫୋକସ କରାଯାଇଛି । ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେ ଉପରେ ଅଧିକ ଗୁରୁତ୍ବ ବଢା ଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ