ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଫଳ ପ୍ରକାଶ ପାଇବା ପରେ ଏବେ ଯୁକ୍ତ ଦୁଇ ଉପରେ ସମସ୍ତଙ୍କ ନଜର । ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ପୂର୍ବରୁ ଚାଲିଛି ପ୍ରସ୍ତୁତି । ଆଜି ଠାରୁ କଲେଜରୁ ଛାତ୍ରଛାତ୍ରୀ ନେଇପାରିବେ ଆଡମିଟ କାର୍ଡ।
ତେବେ ଅନ୍ୟପଟେ ଯୁକ୍ତ ଦୁଇର ବିଜ୍ଞାନ, ବାଣିଜ୍ୟ ଓ କଳା ବିଷୟର ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ପ୍ରାଟିକାଲ ପେପର ଓ ପ୍ରୋଜେକ୍ଟ ପେପର କଲେଜରେ ଦାଖଲ କରିବେ । ଏନେଇ ଆଜି ବିଜ୍ଞାନ ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ପେପର ଦାଖଲ କରିବା ସହ 29 ତାରିଖରେ ବାଣିଜ୍ୟ ଓ 30 ତାରିଖରେ କଳାର ଛାତ୍ରଛାତ୍ରୀ ମାନେ ନିଜର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପେପର ଦାଖଲ କରିବେ।
ଏନେଇ ବିଜେବି କଲେଜ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । 10 ରୁ 11ଟି ରୁମ କରାଯାଇଛି । ଯେଉଁ ରୁମରେ 40 ପିଲା କୋରୋନା କଟକଣା ଦୃଷ୍ଟିରେ ରଖି ବସିପାରିବେ । ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡକୁ ନେଇପାରିବେ ଛାତ୍ରଛାତ୍ରୀ । ପିଲାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଅଲଗା ଅଲଗା ବିଷୟର ପ୍ରାକ୍ଟିକାଲ ପେପର ଦେବାକୁ ପଡିବନି । ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଗ୍ରହଣ କରିବ କଲେଜ।
ତେବେ ଏହି 3ଟି ତାରିଖର ଦିଆଯାଇଥିବା ବେଳେ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରୋଜେକ୍ଟ ପେପେର ନେଇପାରିବେ । ଏବଂ ଏହାକୁ ନେଇ ଉଚ୍ଚ ମାଧ୍ୟମିକ ପରିଷଦଙ୍କ ନିକଟରେ ଦାଖଲ କରିବେ ବୋଲି କହିଛନ୍ତି ବିଜେବି ଜୁନିୟର କଲେଜ କର୍ତ୍ତୃପକ୍ଷ ।
ସୂଚନା ଅନୁଯାୟୀ, ଏହିପରି ରାଜ୍ୟରେ ଥିବା ସମସ୍ତ ଜୁନିଅର କଲେଜ ଗୁଡିକକୁ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାଙ୍କ ମାର୍କ ମାଧ୍ୟମିକ ପରିଷଦ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ