ଭୁବନେଶ୍ବର: ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ ବାହର କରି ବଞ୍ଚାଇ ରଖିଛନ୍ତି ନିଜ ନିଜ ଭିତରେ ଥିବା ସୂକ୍ଷ୍ମ ପ୍ରତିଭା । ସେହିପରି ଏକ ପ୍ରଶାସକ ଦମ୍ପତିଙ୍କ ଓଡିଆ ସଙ୍ଗୀତ ପ୍ରେମ ଏବେ ଚର୍ଚ୍ଚାରେ । ଏମାନେ ହେଉଛନ୍ତି ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଆସାମ ଜନ୍ମିତ ଯୁବ ଆଇଏଏସ ଅଫିସର ପ୍ରଣବ ଜ୍ୟୋତି ନାଥ ଏବଂ ଗୋପବନ୍ଧୁ ଏକାଡେମୀର ପ୍ରଶାସିକା ଥିବା ଓଡିଆ ଝିଅ ତଥା ପ୍ରଣବଙ୍କ ସହଧର୍ମିଣୀ ମମତା ନାୟକ ।
ତେବେ ମମତା ଗୀତ ରଚନା କରୁଥିବା ବେଳେ କଣ୍ଠଶିଲ୍ପୀ ସାଜନ୍ତି ସ୍ବାମୀ ପ୍ରଣବ । ଶୁକ୍ରବାର ସ୍ଥାନୀୟ ଗୀତଗୋବିନ୍ଦ ଭବନ ପରିସରରେ ଆୟୋଜିତ ହୋଇଥିବା ସଙ୍ଗୀତ ସିଡି ଉନ୍ମୋଚନ ଅବସରରେ ଶ୍ରୀ ନାଥ କହିଥିଲେ, ପିଲାଟି ବେଳରୁ ସେ ସଙ୍ଗୀତ ସହିତ ସମ୍ପୃକ୍ତ । ଯାହାକି ସେ ନିଜ ପରିବାରରୁ ଗ୍ରହଣ କରିଛନ୍ତି । ସେ ଆସାମୀ ଭାଷାରେ ଅନେକ ଗୀତ ରେକଡ଼ିଂ କରିଥିବାବେଳେ ପ୍ରଥମ ଥର ପାଇଁ ଓଡିଆରେ ଗୀତ ରେକଡ଼ିଂ କରିଛନ୍ତି ।
ତେବେ ଏହି ସିଡିରେ ପ୍ରସ୍ତୁତ ହୋଇଥିବା ସମସ୍ତ 6ଟି ଗୀତକୁ ତାଙ୍କ ସ୍ତ୍ରୀ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପାଲିତ ଏବଂ ସେ ନିଜେ କଣ୍ଠଦାନ କରିଛନ୍ତି । ଏ ସମସ୍ତ ଗୀତ ରୋମାଣ୍ଟିକ ଟ୍ରାକ୍ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ