ଭୁବନେଶ୍ବର: ସୋମବାର ଆଖି ବୁଜିଛନ୍ତି ଓଲିଉଡ ଆଲବମ କୁଇନ ଦୀପା ସାହୁ । ଦୀପାଙ୍କ ବିୟୋଗରେ ତାଙ୍କ ସହ କଳାକାର ମାନେ ହୋଇ ପଡ଼ିଥିଲେ ଭାବ ବିହ୍ବଳ । ତେବେ ସୋମବାର ରାତିରେ ଦୀପାଙ୍କ ସହ କଳାକାର ତଥା ଅଭିନେତା ସବ୍ୟସାଚୀ ମିଶ୍ର କରିଛନ୍ତି ଏକ ଟ୍ବିଟ । ଯେଉଁଥିରେ ସେ ସେୟାର କରିଛନ୍ତି ଏକ ଫଟୋ । ଆଉ କହିଛନ୍ତି ଦୀପା ପୁଣି ଫେରି ଆସିଛନ୍ତି । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ।
ପ୍ରକୃତରେ ସବ୍ୟସାଚୀ ଏକ ନବଜାତ ଶିଶୁ କନ୍ୟାର ଫଟୋ ସେୟାର କରିଛନ୍ତି । ଏହାସହ ସେ ଏକ ମେସେଜ ମଧ୍ୟ ଲେଖିଛନ୍ତି । ‘‘ଜନ୍ମ ଓ ମୃ୍ତ୍ୟୁ ହିଁ ସତ୍ୟ । ସସ୍ମିତା ସାହୁ ନାମକ ଜଣେ ଗର୍ଭବତୀ ମହିଳା ଲକଡାଉନ ଓ ଅନ୍ୟାନ୍ୟ କାରଣରୁ ହୋସୁର, ତାମିଲନାଡ଼ୁ ଠାରେ ସମସ୍ୟାରେ ଥିଲେ । ତାଙ୍କୁ ହୋସୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସାହାଯ୍ୟ କଲି । ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଲେ । ଉଭୟ ମା ଓ ଝିଅ ସୁସ୍ଥ ଅଛନ୍ତି । ମା ଜଣକ ମତେ ଝିଅଟିର ନା ରଖିବାକୁ କହିଲେ । ମୁଁ ତାଙ୍କୁ ଅଭିନେତ୍ରୀ ଦୀପାଙ୍କ ସ୍ମୃତିରେ ଝିଅର ନାଁ ‘ଦୀପା’ ରଖିବାକୁ ପରାମର୍ଶ ଦେଲି । ତେବେ ସଂଯୋଗ ବଶତଃ ବର୍ତ୍ତମାନ ଝିଅଟିର ମଧ୍ୟ ସମାନ ଟାଇଟଲ ରହିବ ‘‘ଦୀପା ସାହୁ’’ । ସେ ଫେରିଛନ୍ତି ! ଶିଶୁ ଓ ତା ମାଙ୍କୁ ଆଶୀର୍ବାଦ କରନ୍ତୁ ।’’ ବୋଲି ସବ୍ୟସାଚୀ ଲେଖିଛନ୍ତି ।
ଦୀର୍ଘ ସମୟ ଧରି ଦୀପା କର୍କଟ ରୋଗ ସହ ସଂଗ୍ରାମ କରୁଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ସବ୍ୟସାଚୀଙ୍କ ସହ, ଅନୁଭବ ତଥା ଅନ୍ୟାନ୍ୟ କଳାକାର ଦୀପାଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।