ଭୁବନେଶ୍ବର: ପୁଣି ରାଜଧାନୀରେ ଆତ୍ମହତ୍ୟା । ନୟାପଲ୍ଲୀ ଥାନା କ୍ରିଷ୍ଣା ଟାଓ୍ବାର ନିକଟରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ପ୍ରେମ ବ୍ୟାପାରରୁ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ । ମୃତକ ଯୁବତୀ ଜଣକ କଟକ ଶଶାଙ୍ଗ କୁମାରପୁରର ରଞ୍ଜିତା ସାହୁ ବୋଲି ଜଣାପଡିଛି ।
ମୃତ ରଞ୍ଜିତା ସାହୁ ଭୁବନେଶ୍ବରର ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ରଞ୍ଜିତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇ ଥିବାବେଳେ ସେ ଏକୁଟିଆ ଭୁବନେଶ୍ବରରେ ରହୁଥିଲେ । ହଷ୍ଟେଲ ମାଲିକଙ୍କ କହିବା ଅନୁଯାୟୀ, ଜଣେ ଯୁବକ ରଞ୍ଜିତାଙ୍କୁ ହଇରାଣ କରୁଥିଲେ ।ବିବାହ କରିବାକୁ କହି ହଇରାଣ ହରକତ କରୁଥିବାରୁ ସେ ଚାପରେ ରହୁଥିଲେ । ପୋଲିସ ଯୁବତୀଙ୍କ ମୋବାଇଲ ସିଜ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାରୁ ହଷ୍ଟେଲ ମାଲିକଙ୍କ ବୟାନ ଅନୁସାରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଖୋଜିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।
ସେପଟେ ଚଳିତ ମାସ 1 ତାରିଖରେ ଭରତପୁରରୁ ଜଣେ ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସେହିପରି ମଞ୍ଚେଶ୍ବର ଅଞ୍ଚଳରେ ମଧ୍ୟ ଅଣଓଡିଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରାଜଧାନୀରେ ଆତ୍ମହତ୍ୟା ବୃଦ୍ଧିପାଉଥିବାରୁ ପୋଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ହୋଇପାରେ ।
ଇଟିଭି ଭାରତ, ଭୁବନେଶ୍ବର