ଭୁବନେଶ୍ବର: ଜେଲ କଏଦୀଙ୍କ ପାଇଁ ଆରମ୍ଭ ହେଲା ପରିବର୍ତ୍ତନ ଅଭିଯାନ । ଏଣିକି ଜେଲରେ କ୍ରୀଡ଼ା ଅଭ୍ୟାସ କରିବେ କଏଦୀ । ଝାରପଡ଼ା ଜେଲରେ ଆରମ୍ଭ ହେଲା କ୍ରୀଡ଼ା କୋଚିଂ କ୍ୟାମ୍ପ । ପ୍ରାଥମିକ ପର୍ଯ୍ୟାୟରେ ଝାରପଡ଼ା ଜେଲ ଓ ଚୌଦ୍ବାର ଜେଲରେ ଏହାର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ କଏଦୀଙ୍କୁ ଭଲି ବଲ୍, ବ୍ୟାଡମିଣ୍ଟନ, ଚେସ୍, କ୍ୟାରମ ଆଦି ଟ୍ରେନିଂ ଦିଆଯିବ ।
କଏଦୀମାନଙ୍କୁ ଟ୍ରେନିଂ ଦେବେ ଅଲମ୍ପିଆନ ବା ଅଭିଜ୍ଞ ଖେଳାଳି । ଏନେଇ ଆଜି(ସୋମବାର)ଠାରୁ ଆରମ୍ଭ ହୋଇଛି କୋଚିଂ କ୍ୟାମ୍ପର ଉଦଘାଟନ। ଇଣ୍ଡିଆନ ଅଏଲ୍ କର୍ପୋରେସନର ସହଭାଗିତାରେ ଏଭଳି ଏକ ନିଆରା ଅଭିଯାନ ହାତକୁ ନିଆଯାଇଛି । ଏହାକୁ ନେଇ ଇଣ୍ଡିଆନ ଅଏଲ୍ କର୍ପୋରେସନର ଅଧ୍ୟକ୍ଷ ଓ ଜେଲ ଡିଆଇଜିଙ୍କୁ ନେଇ ଏକ ୱେବିନାର ଆୟୋଜନ କରାଯାଇଥିଲା ।
କଏଦୀଙ୍କ ପାଇଁ ଏହି କୋଚିଂ କ୍ୟାମ୍ପ ଉଦଘାଟନ ଵେଳେ ଅନ୍ତର୍ଜାତୀୟ ଚେସ୍ ଖେଳାଳି ପଦ୍ମିନୀ ରାଉତଙ୍କ ସହ ବହୁ ଜଣାଶୁଣା ଖେଳାଳି ଓ ଜେଲ ଵିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଜେଲ ଡିଆଇଜି ଶୁଭକାନ୍ତ ମିଶ୍ରଙ୍କ କଳକମଳରେ ଏହାର ଉଦଘାଟନ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ