ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଖୋଲିବ ଏକାମ୍ରକ୍ଷେତ୍ରର ଲିଙ୍ଗରାଜ ମନ୍ଦିର । ଏହାସହ ଜାନୁଆରୀ 3 ତାରିଖରେ ଭୁବନେଶ୍ବରରେ ସମସ୍ତ ଧାର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏଥିପାଇଁ ଆଜି(ଶୁକ୍ରବାର) ବିଏମସି ପକ୍ଷରୁ ଏକ ଏସଓପି ଜାରି ହୋଇଛି। ଏଥିରେ ମନ୍ଦିର ଖୋଲିବା ପାଇଁ କେତେକ ବିଶେଷ ନିର୍ଦ୍ଦେଶ ଜାରି କରାଯାଇଛି।
ବିଏମସିର ଏସଓପିରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଦିଗରେ ମନ୍ଦିର କର୍ତ୍ତୃପକ୍ଷ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଭିତରକୁ କେତେ ଭକ୍ତ ପ୍ରବେଶ କରିବେ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ଭୁବନେଶ୍ବର ମହାନଗର ନିଗମକୁ ଜଣାଇବେ । ମନ୍ଦିର ଓ ଅନ୍ୟାନ ଧର୍ମାନୁଷ୍ଠାନ ପକ୍ଷରୁ ହସ୍ତଗତ ହୋଇଥିବା ତଥ୍ୟକୁ ପରେ ବିଏମସି ଅନୁଧ୍ୟାନ କରିବ।
ଡିସେମ୍ବର 27 ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦେଇଛି ବିଏମସି । ଏହାସହ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ଚର୍ଚ୍ଚଗୁଡ଼ିକୁ ସ୍ବତନ୍ତ୍ର ଅନୁମତି ନେବାକୁ ହେବ । ଏହାପୂର୍ବରୁ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ