ଭୁବନେଶ୍ୱର: ବିଦେଶକୁ ଚିଠି କିମ୍ବା ପାର୍ସଲ ପଠାଇବାକୁ ଆଉ କୋଲକାତା ଉପରେ ନିର୍ଭର କରିବାକୁ ପଡିବନି । ଅହେତୁକ ବିଳମ୍ବ ହେତୁ ଓଡ଼ିଆ ଲୋକଙ୍କୁ ହେବାକୁ ପଡିବନି ଆଉ ଅସନ୍ତୋଷ । ବର୍ତ୍ତମାନ ରାଜଧାନୀରେ ଖୋଲିଲା ବିଦେଶ ଡାକଘର ।
କଲିକାତାରେ ହିଁ ଓଡିଶାର ବିଦେଶୀ ଚିଠି ଯାଇ ପ୍ରୋସେସିଂ ହେଉଥିଲା ଫଳରେଅନେକ ବିଳମ୍ବ ହେଉଥିଲା । ସେଥିପାଇଁ କେନ୍ଦ୍ର ସରକାର ଓଡିଶାରେ ଏକ ବିଦେଶ ଡାକଘର ଖୋଲିବା ପାଇଁ ଯୋଜନା କରିଥିଲା ଯାହା ଫଳପ୍ରଦ ହୋଇଛି । ସ୍ଥାନୀୟ ମଞ୍ଚେଶ୍ବର ସ୍ଥିତ ପୋଷ୍ଟାଲ ପ୍ରିଣ୍ଟିଂ ଠାରେ ଭାରତୀୟ ଡାକ ବିଭାଗ ସଚିବ ଶ୍ରୀ ଅନନ୍ତ ନାରାୟଣ ନନ୍ଦ ନୂଆ ଡାକଘରର ଉଦଘାଟନ କରିଛନ୍ତି ।
ଓଡିଶାର 1210ଟି ଡାକ ବିଭାଗରୁ ବିଦେଶକୁ ପଠାଯାଉଥିବା ପାର୍ସଲ ଆସି ମଞ୍ଚେଶ୍ବରରେ ପ୍ରୋସେସିଂ ହେବ । ବର୍ତ୍ତମାନ ଅଳ୍ପ କିଛି ଦେଶକୁ ଡାକ ସେବା କାର୍ଯ୍ୟକାରୀ ହେବ । ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତ ବିଦେଶୀ ରାଷ୍ଟ୍ରକୁ ଆନ୍ତର୍ଜାତିକ ବିମାନ ସେବା କାର୍ଯ୍ୟକାରୀ ହେବାପରେ ଅନ୍ୟ ବୈଦେଶିକ ଡାକସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ