ଭୁବନେଶ୍ବର: ଯୋଜନା ଥିଲା ଜଣେ ବ୍ୟବସାୟୀଙ୍କୁ ହତ୍ୟା କରି ଫେରାର ହେବେ । ହେଲେ ଏହି ଯୋଜନାକୁ ସଫଳ ହେବାକୁ ଦେଲାନି କମଶନରେଟ ପୋଲିସ । ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ଯୋଜନାରେ ଦୁଇ ସୁପାରୀ କିଲର ବ୍ୟବସାୟୀଙ୍କ ଘର ପାଖରେ ବିଚରଣ କରୁଥିଲେ । ଜଣେ ପୋଲିସ ଇନର୍ଫମରର ସୂଚନା ପରେ ନୟାପଲ୍ଲୀ ସ୍ବପ୍ନେଶ୍ବରୀ ମନ୍ଦିର ନିକଟରେ ସାଧା ପୋଷାକରେ ପହଞ୍ଚିଥିଲା ପୋଲିସ ।
ଅଭିଯୁକ୍ତମାନେ ପୋଲିସକୁ ଚିହ୍ନିପାରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତଙ୍କ ପାଖରେ ବନ୍ଧୁକ ଥିବା ଭୟରେ ପୋଲିସ ସେମାନଙ୍କୁ ଧରିବାକୁ ପଛଘୁଞ୍ଚା ଦେଇଥିଲା । ପୂର୍ବରୁ ଏହାକୁ ନେଇ ଅନ୍ୟ ପୋଲିସଙ୍କୁ ଆଲର୍ଟ କରାଯାଇଥିଲା । କିଛି ଅଧିକାରୀ ଓ ସ୍ପେଶାଲ୍ ସ୍କ୍ବାଡ୍ ସହାୟତାରେ ପୋଲିସ ଶେଷରେ ଜଣେ ସୁପାରୀ କିଲରକୁ ଧରିବାରେ ସକ୍ଷମ ହୋଇଥିବାବେଳେ ଆଉ ଜଣେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଛି ।
ଗିରଫ ହୋଇଥିବା ସୁପାରି କିଲର ଜଗତସିଂହପୁରର ସମ୍ପଦ ସାହୁ ବୋଲି ଜଣାପଡ଼ିଛି । ତା ନିକଟରୁ ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ ସହ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଗତ ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ତାକୁ ପୋଲିସ ଗିରଫ କରିଥିଲା । ଫେରାର ହୋଇଯାଇଥିବା ଅଭିଯୁକ୍ତର ଜଣେ ବ୍ୟବସାୟୀଙ୍କ ସହ ପୂର୍ବ ଶତ୍ରୁତା ଥିଲା । ସମ୍ପୃକ୍ତ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଦୁଇଜଣ ଜଗତସିଂହପୁରରୁ ଭୁବନେଶ୍ବର ଆସିଥିଲେ । କୋଇଲା ଚୋରା ଚାଲାଣକୁ ନେଇ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସୁପାରୀ ନେଇଥିଲା ସମ୍ପଦ ।
ଏହାପୂର୍ବରୁ ସମ୍ପଦ ନାମରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ୨୦୦୪, ୨୦୦୮, ୨୦୧୬ ମସିହାରେ ସମ୍ପଦ ଜେଲରେ ଥିଲା । ୨୦୧୬ ମସିହା ବାରଙ୍ଗ ମଦ ଦୋକନୀଙ୍କୁ ହତ୍ୟାକାଣ୍ଡରେ ମଧ୍ୟ ଅଭିଯୁକ୍ତ ସମ୍ପଦ ସାମିଲ ଥିଲା । ଅପରାଧିକ କାର୍ଯ୍ୟକଳାପ ପାଇଁ ମୁଙ୍ଗେରରୁ ବନ୍ଧୁକ ଆଣିଥିଲା ଅଭିଯୁକ୍ତ । ଏହିପରି କଣ୍ଟ୍ରାକ୍ଟ କିଲିଂକୁ ରୋଜଗାରର ବାଟ କରିଥିଲା ସମ୍ପଦ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ