ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀଙ୍କ ପାଠପଢା ବିଦ୍ୟାଳୟ ପରିସରରେ ଆରମ୍ଭ ହେବାକୁ ଯାଉଛି । ଶିକ୍ଷାନୁଷ୍ଠାନମାନଙ୍କରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା SOPର ସଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହାକୁ ତଦାରଖ କରିବା ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବାଣୀବିହାର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି ।
ଗଣଶିକ୍ଷାମନ୍ତ୍ରୀ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ବ୍ୟବସ୍ଥା ସମ୍ପର୍କରେ ଆଲୋଚାନ କରିଛନ୍ତି । କଠିନ ବିଷୟ ଯେପରି ବିଜ୍ଞାନ ଗଣିତ ଇଂରାଜୀ ବିଷୟଗୁଡିକର ଅଧିକ କ୍ଲାସ କରାଯିବ । ତେବେ ଶିକ୍ଷକମାନଙ୍କ ଅଭାବକୁ ଦୂରୀଭୂତ କରିବା ପାଇଁ B.ED ଓ ସ୍ନାତକ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଅନୁମତି ଦିଆଯିବ ।
ଅନ୍ୟପଟେ ଉତ୍କଳ ବିଶ୍ଵବିଦ୍ୟାଳୟ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେବୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ଭାବରେ ନବମ ଶ୍ରେଣୀ ଖୋଲିବା ପାଇଁ ଆମେ ପ୍ରସ୍ତୁତ ରହିଛୁ । ରାଜ୍ୟ ସରକାରଙ୍କର SOP ମାନି କ୍ଳାସ କରାଯିବ । ଏହି ସ୍କୁଲରେ ନବମରେ 83 ଛାତ୍ରଛାତ୍ରୀ ରହିଥିବା ବେଳେ ପାଠ ପଢିବା ପାଇଁ 3ଟି ରୁମର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ 11 ଟାରୁ 4ଟା ପର୍ଯ୍ୟନ୍ତ କ୍ଳାସ କରାଯିବ। ବିଜ୍ଞାନ ଇଂରାଜୀ ଓ ଗଣିତକୁ 3ଟି କ୍ଳାସ ରହିଥିବା ବେଳେ ଇତିହାସ ଭୂଗୋଳ ଓ ହିନ୍ଦୀ କ୍ଳାସକୁ 2ଟି କ୍ଳାସ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ