ଭୁବନେଶ୍ବର: ଜୟଦେବ ଭବନ ଠାରେ 97ତମ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଇଛି । ଶନିବାର ଏହି ଅବସରରେ ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା ନିଯୁକ୍ତି ସୁଯୋଗର ପ୍ରକୃଷ୍ଟ କ୍ଷେତ୍ର ବୋଲି କହିଛନ୍ତି ।
ତେବେ ଦିନକୁ ଦିନ ସମବାୟ ସଂସ୍ଥା ଗୁଡିକ ଦୁର୍ବଳ ହେବାରେ ଲାଗିଛି । ଅନେକ ସମୟରେ କର୍ମଚାରୀଙ୍କ ସ୍ବାର୍ଥପର ନୀତି ପାଇଁ ପ୍ରକୃତ ହିତାଧିକାରୀ ଏହି ଆନ୍ଦୋଳନର ସୁଫଳ ପାଇପାରୁ ନାହାଁନ୍ତି । ଯାହାଫଳରେ ଏହା ଲୋକଙ୍କ ବିଶ୍ବାସ ହରାଇବା ସହିତ ଆଜିକା ଦିନରେ ଖରାପ ସ୍ଥିତିରେ ଆସି ପହଞ୍ଚିଛି ।
ତେଣୁ ଏହି ଆନ୍ଦୋଳନକୁ ସଶକ୍ତ ଆନ୍ଦୋଳନରେ ପରିଣତ କରିବା ଦିଗରେ ସମବାୟବିତ୍ଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆବଶ୍ୟକ ବୋଲି ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ତେଣୁ ଆଗାମୀ ଦିନରେ ଏହାକୁ ଆହୁରି କାର୍ଯ୍ୟକ୍ଷମ କରିବା ପାଇଁ ଏସଏଚଜି ଗ୍ରୁପ ଗୁଡିକୁ ଜଡିତ କରିବାକୁ ଚିନ୍ତା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ତେବେ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ମହାପ୍ରବନ୍ଧକ ଏବି ଦାସ, ଓଡିଶା ସମବାୟ ସମିତିର ନିବନ୍ଧକ ବିଭୁତି ଭୂଷଣ ପଟ୍ଟନାୟକ, ରାଜ୍ୟ ସମବାୟ ୟୁନିୟନର ସଭାପତି ହେମନ୍ତ ନାୟକ, ଉପସଭାପତି ସଂଧ୍ୟାରାଣୀ ଲାକ୍ରା ଓ ସମ୍ପାଦକ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ