ଭୁବନେଶ୍ବର: ଆଜି(ମଙ୍ଗଳବାର) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଛି ପ୍ରତିଷ୍ଠା ଦିବସ । 61 ବର୍ଷରେ ପଦାର୍ପଣ କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । 1960 ମସିହା ଡିସେମ୍ବର 29ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ।
ଏ ଅବସରରେ ନନ୍ଦନକାନନରେ ଥିବା ବାଘୁଣୀ ସ୍ନେହାର ଦୁଇ ଶାବକର ନାମକରଣ କରାଯାଇଛି । ସେମାନଙ୍କର ନାମ ଲବ ଏବଂ କୁଶ ରଖାଯାଇଛି । 20 ନମ୍ବର ଖୁଆଡରେ ଥିବା ଧଳା ବାଘୁଣୀ ସ୍ନେହାର ତୃତୀୟ ଗର୍ଭରେ 2020 ଜାନୁଆରୀ 9 ତାରିଖରେ ଜନ୍ମ ନେଇଥିବା 2ଟି ବାଘ ଶାବକର ନାମକରଣ କରାଯାଇଛି। ମନ୍ତ୍ରୀ ବିଧାୟକ ଓ ନନ୍ଦନକାନନର କର୍ତ୍ତୃପକ୍ଷକଙ୍କ ଉପସ୍ଥିତିରେ ନାମକରଣ କରାଯାଇଛି। ଏହାପରେ ସେମାନଙ୍କୁ ପର୍ଯ୍ୟଟକଙ୍କ ସାମ୍ନାକୁ ଅଣାଯାଇଛି ।
ପ୍ରକାଶଥାଉକି, ରାଜଧାନୀ ଭୁବନେଶ୍ବରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମୟକ୍ରମେ ପାଲଟିଛି ଓଡିଶାର ଅନ୍ୟତମ ପରିଚୟ । ଏହାର ପ୍ରତିଷ୍ଠା ଦିବସ ଅବସରରେ ନନ୍ଦନକାନନର ନିର୍ଦ୍ଦେଶକ ଶଶି ପଲ, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିଛନ୍ତି । ଏଥିସହିତ 20 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନନ୍ଦନକାନନର ପ୍ରସ୍ଥାନ ପଥର ଉଦଘାଟନ ହେବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ