ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ମୃତ୍ୟୁହାର । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର 354ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଖୋର୍ଦ୍ଧାରୁ 2 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଖୋର୍ଦ୍ଧାରୁ ଏଯାବତ 1548 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳରୁ 396 ଓ କେନ୍ଦ୍ରାପଡ଼ାରୁ 252 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ରାଜ୍ୟରେ ମୃତ୍ୟୁସଂଖ୍ୟା କ୍ରମଶଃ ହ୍ରାସ ପାଇଛି, ହେଲେ ପଜିଟିଭ ସଂଖ୍ୟା କମବୃଦ୍ଧି ଜାରି ରହିଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି 208 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 23 ଜଣ 18 ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧ରେ ପହଞ୍ଚିଛି । ଶୀତ ଋତୁରେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ତେଣୁ ଆମକୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ