ଭୁବନେଶ୍ବର: 2019-20 ବର୍ଷ ପାଇଁ ବୁଧବାର ସୁଦ୍ଧା 88 ହଜାର 293 ଚାଷୀଙ୍କ ଠାରୁ 59 ଲକ୍ଷ 80 ହଜାର 855 କ୍ବିଣ୍ଟାଲ ଖରିଫ ଧାନ ସଂଗ୍ରହ । ଯାହାକି ଆଜିର ତାରିଖରେ ଗତବର୍ଷ ତୁଳନାରେ 39 ପ୍ରତିଶତ ଅଧିକ ହୋଇଥିବା ସୂଚନା । ଗତବର୍ଷ ଡିସେମ୍ବର 11 ତାରିଖ ସୁଦ୍ଧା ମୋଟ 43 ଲକ୍ଷ 2 ହଜାର 860 କ୍ବିଣ୍ଟାଲ ଧାନସଂଗ୍ରହ କରାଯାଇଥିଲା ।
ଏହାସହ ଧାନ ସଂଗ୍ରହ ନିମନ୍ତେ ଅନ୍ଲାଇନ୍ରେ ପଞ୍ଜୀକୃତ ଚାଷୀମାନଙ୍କୁ ପି-ପାସ୍ ଜରିଆରେ ଆଗୁଆ ଟୋକେନ୍ ପ୍ରଦାନ କରାଯାଉଥିବା ପରିପ୍ରେକ୍ଷୀରେ ବୁଧବାର ସୁଦ୍ଧା 19ଟି ଜିଲ୍ଲାର 2 ଲକ୍ଷ 15 ହଜାର 855 ଜଣ ଚାଷୀଙ୍କୁ 2 ଲକ୍ଷ 78 ହଜାର 289ଟି ଟୋକେନ୍ ପ୍ରଦାନ କରାଯାଇଛି ।
ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ବରଗଡର 37 ହଜାର 88 ଜଣ ଚାଷୀ ମୋଟ 24 ଲକ୍ଷ 89 ହଜାର 213 କ୍ବିଣ୍ଟାଲ୍ ଧାନ ବିକ୍ରି କରିଥିବାବେଳେ ବଲାଙ୍ଗୀର ଜିଲ୍ଲାର 6331 ଜଣ ଚାଷୀ 4 ଲକ୍ଷ 50 ହଜାର 898 କ୍ବିଣ୍ଟାଲ, କଳାହାଣ୍ଡିର 11614 ଜଣ ଚାଷୀ 8 ଲକ୍ଷ 6 ହଜାର 543 କ୍ବିଣ୍ଟାଲ୍, କୋରାପୁଟର 3478 ଜଣ ଚାଷୀ 2 ଲକ୍ଷ 58 ହଜାର 799 କ୍ବିଣ୍ଟାଲ, ମାଲକାନଗିରିର 7045 ଜଣ ଚାଷୀ 2 ଲକ୍ଷ 77 ହଜାର 899 କ୍ବିଣ୍ଟାଲ୍, ନବରଙ୍ଗପୁରର 2299 ଜଣ ଚାଷୀ 1 ଲକ୍ଷ 66 ହଜାର 735 କ୍ବିଣ୍ଟାଲ୍, ନୂଆପଡାର 4406 ଜଣ ଚାଷୀ 2 ଲକ୍ଷ 6 ହଜାର 607 କ୍ବିଣ୍ଟାଲ, ସମ୍ବଲପୁରର 7433 ଜଣ ଚାଷୀ 6 ଲକ୍ଷ 38 ହଜାର 413 କ୍ବିଣ୍ଟାଲ ଏବଂ ସୁବର୍ଣ୍ଣପୁରର 6667 ଜଣ ଚାଷୀ 5 ଲକ୍ଷ 54 ହଜାର 787 କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି ।
ସେହପରି ଧାନସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଦିଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟସ୍ଥିତ କଲ୍ସେଣ୍ଟରରୁ ଜିଲ୍ଲାର ଚାଷୀମାନଙ୍କ ସହିତ ସେମାନଙ୍କ ମୋବାଇଲ୍ ଫୋନ୍ ଯୋଗେ ନିୟମିତ କଥାବାର୍ତ୍ତା କରାଯାଉଛି । ଡିସେମ୍ବର 1ରୁ 10 ତାରିଖ ମଧ୍ୟରେ କଲ୍ସେଣ୍ଟର ଯୋଗେ ବରଗଡ, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ବୌଦ୍ଧ ଓ କଟକ ଆଦି ଜିଲ୍ଲାର 4996 ଜଣ ଚାଷୀଙ୍କୁ ମୋବାଇଲ୍ ଯୋଗେ ଅଧିକାରୀମାନେ କଥା ହୋଇଥିଲେ । ସେଥିମଧ୍ୟରୁ 4902 ଜଣ ଚାଷୀ ଆଗୁଆ ଟୋକେନ୍ ପାଇଥିବା ଓ 4593 ଜଣ ଧାନ ବିକ୍ରି ଅର୍ଥ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇଥିବା କଥା ଜଣାଇ ଥିବାବେଳେ 4663 ଜଣ ଚାଷୀ ଧାନସଂଗ୍ରହ କେନ୍ଦ୍ରରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ସନ୍ତୋଷ ପ୍ରକାଶ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ