ଭୁବନେଶ୍ବର: ରାଜ୍ୟରେ 31ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । ରାଜ୍ୟ ସରକାର ପରିଚାଳନା କରୁଥିବା ଏହି କୋଭିଡ୍ ହସ୍ପିଟାଲକୁ ଜାନୁଆରୀ 1 ତାରିଖରୁ ବନ୍ଦ କରାଯାଇଥିବା ସୂଚନା ମିଳିଛି । କେବଳ ସମ୍ କୋଭିଡ୍ ହସ୍ପିଟାଲ ଓ ଆଦିତ୍ୟ ଅଶ୍ବିନୀ କୋଭିଡ୍ ହସ୍ପିଟାଲକୁ ଛାଡି ଅନ୍ୟ ହସ୍ପିଟାଲରେ ସଂକ୍ରମିତଙ୍କୁ ଆଡମିଟ୍ ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖିଛନ୍ତି ।
ସମ୍ କୋଭିଡ୍ ହସ୍ପିଟାଲରେ 50 ଜେନେରାଲ ବେଡ୍, 75 ଆଇସିୟୁ ଓ 25ଟି ଏଚଡିୟୁ ରହିବାକୁ ଥିବାବେଳେ ଆଦିତ୍ୟ ଅଶ୍ବନୀ ହସ୍ପିଟାଲରେ ମଧ୍ୟ ଚିକିତ୍ସା ଜାରି ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହାସହ ଯେଉଁମାନେ ଜାନୁଆରୀ 1 ତାରିଖ ପୂର୍ବରୁ ଚିକିତ୍ସିତ ହେଉଥିବେ ସେମାନଙ୍କ ଚିକିତ୍ସା ଜାରି ରହିବ । ହେଲେ ଏହାପରେ ଆଉ 1 ତାରିଖରୁ ଏଠାରେ କୌଣସି ସଂକ୍ରମିତଙ୍କୁ ଆଡମିଶନ କରାଯିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।
ଅନ୍ୟପଟେ ସମସ୍ତ କୋଭିଡ୍ କେୟାର ସେଣ୍ଟର ଓ କୋରୋନା କେୟାର ହୋମ୍ ମଧ୍ୟ ଜାନୁଆରୀ ପହିଲାରୁ ବନ୍ଦ କରାଯାଇଥିବା କୁହାଯାଇଛି । ସୂଚନାଥାଉକି, ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ ସଂକ୍ରମିତଙ୍କ ଚିକିତ୍ସା ଲାଗି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ । ସରକାର ନିଜସ୍ବ ଓ ଅନ୍ୟ ସଂସ୍ଥା ସହାୟତାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ