ଭୁବନେଶ୍ବର: ଘୋଷଣା ହୋଇଛି 2018 ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ବିଜୟ ମିଶ୍ରଙ୍କୁ ମିଳିବ ସମ୍ମାନଜନକ ଜୟଦେବ ପୁରସ୍କାର । ସେହିପରି ପ୍ରଯୋଜକ ଅକ୍ଷୟ ପରିଜା ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ ।
ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 30ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଏବଂ 7ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ରାଜ୍ୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । 'ଭିଜା ମାଟିର ସ୍ବର୍ଗ'କୁ ଶ୍ରେଷ୍ଠ ଫିଲ୍ମ ଭାବେ ଚୟନ କରାଯାଇଛି । ଏହି ଫିଲ୍ମ ପାଇଁ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର ମନୋନୀତ ହୋଇଛନ୍ତି ।
ଚଳଚ୍ଚିତ୍ର ଜଗତର ଜୀବନବ୍ୟାପୀ ସାଧନା ପାଇଁ ଶ୍ରେଷ୍ଠ ପୁରସ୍କାର ଜୟଦେବ ସମ୍ମାନ ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯିବ । ସେହିପରି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମିଳିବ । ଚଳଚ୍ଚିତ୍ର କ୍ଷେତ୍ରରେ ଥିବା 27ଟି ବିଭାଗ ମଧ୍ୟରୁ ଶ୍ରେଷ୍ଠ ଶିକ୍ଷଣଭିତ୍ତିକ ଶିଶୁ ଚଳଚ୍ଚିତ୍ରକୁ ଛାଡି ଅନ୍ୟ ସବୁ ବିଭାଗରେ ସମ୍ମାନ ପ୍ରଦାନ କରାଯିବ । ଯେଉଁଥିପାଇଁ ସମୁଦାୟ 5 ଲକ୍ଷର ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟ ବିଭାଗରେ ପୁରସ୍କାର ପାଇବାକୁ ଥିବା ବ୍ୟକ୍ତି ହେଲେ-
ଶ୍ରେଷ୍ଠ କାହାଣୀକାର- ନିରଞ୍ଜନ ରେଡ୍ଡୀ- ଓଲେ ଓଲେ ଦିଲ ବୋଲେ
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଶାନ୍ତିରାଜ ଖୋସଲା- ଫେରିଆ କମବ୍ୟାକ
ପ୍ରଚ୍ଛଦପଟ ଗାୟକ- କରୁଣାକର- ଫେରିଆ
ପ୍ରଚ୍ଛଦପଟ ଗାୟିକା- ଅନ୍ତରା ଚକ୍ରବର୍ତ୍ତୀ- ସାଥି ତୁ ଫେରିଆ
ଶ୍ରେଷ୍ଠ ଫଟୋଗ୍ରାଫି- ଦିଲ୍ଲୀପ ରାୟ- ଭିଜା ମାଟିର ସ୍ୱର୍ଗ
ଶ୍ରେଷ୍ଠ ସମ୍ପାଦନା- ଅମରେନ୍ଦ୍ର ମହାପାତ୍ର- ଫେରିଆ
ଶ୍ରେଷ୍ଠ ଗୀତ ରଚନା- ବସନ୍ତରାଜ ସାମଲ- ସାଥି ତୁ ଫେରିଆ (ଶ୍ରାବଣ ଅଛି, ବର୍ଷା ନାହିଁ)
ଶ୍ରେଷ୍ଠ ଚିତ୍ରନାଟ୍ୟ- ଆଶୁତୋଷ ମହାପାତ୍ର- ଭିଜାମାଟିର ସ୍ୱର୍ଗ
ଶ୍ରେଷ୍ଠ ସହଅଭିନେତା- ମନୋଜ ମିଶ୍ର- ଚମ୍ପିଆନ
ଶ୍ରେଷ୍ଠ ସହଅଭିନେତ୍ରୀ- ଶିବାନୀ ଖରା- ଫେରିଆ
ଶ୍ରେଷ୍ଠ ହାସ୍ୟ ଅଭିନେତା- ରାକ୍ଷୀ- ଦିୱାନା ହେଲି ତୋରି ପାଇଁ
ଶ୍ରେଷ୍ଠ ଶିଶୁ ଶିଳ୍ପୀ- ସାର୍ଥକ ହୋତା- ଫେରିଆ
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ସଂଗ୍ରାମ ମହାରଣା- ଫେରିଆ
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ- ନିତ୍ୟଶ୍ରୀ ରଞ୍ଜନ- ଜୀବନର ଚଲାପଥେ
ସ୍ୱତନ୍ତ୍ର ଜୁରୀ ସମ୍ମାନ- 1- କାଦମ୍ବିନୀ ମିଡିଆ- କହେ ଜଲ୍ଲଭ
2- ସୌମ୍ୟକାନ୍ତ ଖଣ୍ଡାୟୀ- ଜୀବନର ଚଲାପଥେ
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର- 1- କଲ୍ୟାଣୀ ମିଶ୍ର ଓ ରଣଜିତ ରଥ- ଭିନ୍ନ ଭିଟାମାଟି
2- ଶ୍ରୀମତୀ ନୀଳ ମହାପାତ୍ର-ସନ୍ନି ଦ ସନ ଅଫ ରିଭର
ଆଦିବାସୀ ଭାଷାରେ ଶ୍ରେଷ୍ଠ ଚଳଚ୍ଚିତ୍ର- ହୋ ସମାଜ ଫିଲ୍ମ ଏକାଡେମୀ- ଆମାଗେ ଜୁଲି
ଶ୍ରେଷ୍ଠ ସଂଳାପ ଲେଖକ- ନନ୍ଦ ଲାଲ ମହାପାତ୍ର- ଭିଜା ମାଟିର ସ୍ବର୍ଗ
ଶ୍ରେଷ୍ଠ ପୋଷାକ- ପ୍ରସନ୍ନ ଶତପଥୀ- ଫେରିଆ
ଶ୍ରେଷ୍ଠ ମେକଅପ- ସମରେଶ ପାଲ- ଦିୱାନ ହେଲି ତୋରି ପାଇଁ
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା- ମୁନା ବାବୁ- ଫେରିଆ
ଟେଲି ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ 2018 ମସିହା ପାଇଁ "ପେନସନ"କୁ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ସମ୍ମାନ ମିଳିଛି । ସେହିପରି "ରହିଛି ରହିବି ତୋରି ପାଇଁ" ଶ୍ରେଷ୍ଠ ଧାରାବାହିକ ସମ୍ମାନ ପାଇବାକୁ ମନୋନୀତ ହୋଇଛି । ଶ୍ରେଷ୍ଠ ଅଭିନେତା ଭାବେ ପେନସନ ଲାଗି ଜୟନ୍ତ ସାନ୍ତ୍ରା ଚୟନ ହୋଇଛନ୍ତି । ସୋଫିଆ ସିକନ୍ଦର ରହିଛି ରହିବି ତୋରି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବେ । ଟେଲି ଚଳଚ୍ଚିତ୍ର କ୍ଷେତ୍ରରେ ସମୁଦାୟ 20ଟି ବିଭାଗରେ ମୋଟ 3 ଲକ୍ଷ 10 ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।
ଆଜିର ଏହି ଉତ୍ସବରେ ଉଭୟ ବିଭାଗ ପାଇଁ ଗଠିତ ଜୁରୀ କମିଟିର ଅଧ୍ୟକ୍ଷଙ୍କ ସମେତ ଜୁରୀ ସଦସ୍ୟ, ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ, ସଙ୍ଗୀତ ନାଟକ ଏକାଡେମୀର ସଚିବ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଜୁରୀ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ସମ୍ପୂର୍ଣ୍ଣ ସ୍ବଚ୍ଛତା ରକ୍ଷା କରିବା ସହିତ ସବୁ ଦିଗକୁ ବିଚାର କରି ଶ୍ରେଷ୍ଠ ଫିଲ୍ମ ଓ ଟେଲିଫିଲ୍ମ ଚୟନ କରିଥିବା କହିଛନ୍ତି । ତେବେ କେଉଁଦିନ ଏବଂ କେଉଁଠି ପ୍ରଦାନ କରାଯିବ ତାହା ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ