ଭୁବନେଶ୍ବର: କୋଭିଡ କେଳେଙ୍କାରୀର ନୂଆ ଗୁମର । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶ୍ରମମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଶ୍ରମିକଙ୍କୁ ଟୁଲ କିଟ୍ ଓ ସେଫଟି ସୁଜ୍ ଦେବାରେ ରାଜ୍ୟବ୍ୟାପୀ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।
ସାରା ରାଜ୍ୟରେ 15 ଲକ୍ଷ ଶ୍ରମିକଙ୍କୁ ସେଫଟି କିଟ ଯୋଗାଣ ହୋଇଥିବା ପ୍ରଦୀପ କହିଛନ୍ତି । ସେ ମାଲକାନଗିରି, କଟକ ଓ ଅନୁଗୁଳ ଜିଲ୍ଲାର ଉଦାହରଣ ଦେଇ ତଥ୍ୟ ପ୍ରଦାନ କରିଛନ୍ତି । ଏହି ଘଟଣାରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ଆଣିବା ପାଇଁ ଦାବି କଲା କଂଗ୍ରେସ ।
କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ସୂଚନା ଅନୁସାରେ, ଭୁବନେଶ୍ବର ବମିଖାଲ ସ୍ଥିତ ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନରୁ ଶ୍ରମିକଙ୍କ ପାଇଁ ଆସୁଥିବା 12 ଟଙ୍କାର ଚଷମାକୁ ଷାଠିଏ ଟଙ୍କାରେ, 185 ଟଙ୍କାର ଜୋତାକୁ 413 ଟଙ୍କା, 10 ଟଙ୍କାର ଗ୍ଲୋଭ୍ସକୁ 90 ଟଙ୍କା ଓ 45 ଟଙ୍କାର ହେଲମେଟକୁ 110 ଟଙ୍କା, ଅଢେଇ ଟଙ୍କାର ମାସ୍କକୁ 80 ଟଙ୍କାରେ ସରକାର କିଣିଥିବା କଥା ପ୍ରଦୀପ ଅଭିଯୋଗ ଆଣିଛନ୍ତି । ଏହାସହ ଶ୍ରମିକମାନଙ୍କ ଅବସ୍ଥା ଏବେ ଶୋଚନୀୟ । ଓଡ଼ିଶାର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେଖାନାହିଁ । ଯୋଉଠି ଶ୍ରମିକମାନେ ଏବେ ନିଜ ଗାଁ ମୁହାଁ ହେଲେ ମନ୍ତ୍ରୀଙ୍କ ନିଦ ଭାଙ୍ଗୁନାହିଁ ବୋଲି କହିଛନ୍ତି ପ୍ରଦୀପ ମାଝି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ